
କଳାହାଣ୍ଡି, ୨୯/୦୭/୨୧ (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଭଟାଗୁଡା ଗାଁରେ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗାଁର ଜୟସିଂ ଜାନୀ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଥିସହିତ ଘାସିରାମଙ୍କ ବଡପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ କରି ଗୋଡରେ ଆହତ କରିଥିବା ଅଭିଯୋଗ ହୋଇଛି । ପରେ ଗ୍ରାମର ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଥିବା ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।



