
କଟକ,୨୯/୦୭/୨୧ (ଜିଲ୍ଲା ଖବର) : ଏବେ ହାଇକୋର୍ଟର ସମସ୍ତ ମାମଲାର ଶୁଣାଣି ହେବ ସିଧା ପ୍ରସାରଣ । ଏନେଇ ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରେସେଡିଂ ରୁଲ ୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି । କେଉଁ ସବୁ ମାମଲାର ଲାଇଭ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ ଓ କେଉଁ ମାମଲା କରାଯିବ ନାହିଁ ସେଥିରେ ସ୍ୱତନ୍ତ୍ର ନିୟାମାବଳୀ ଉଲ୍ଲେଖ ରହିଛି ।
ଲାଇଭ ଟେଲିକାଷ୍ଟରେ ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂ ଅର୍ଥାତ ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲକୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବେ କୋର୍ଟ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ ପ୍ଲବିକ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ କରାଯିବ।
ପ୍ରସାରଣ ସମୟରେ ଅଡିଓ ଓ ଭିଡିଓ ରହିବ। ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ ହାଇକୋର୍ଟର ୱେବସାଇଟ୍ କିମ୍ବା କେସ ତାଲିକାରେ ଉଲ୍ଲେଖ ରଖାଯିବ। ବୈବାହିକ ମାମଲା, ଜୁଭେନାଇଲ ଜଷ୍ଟିସ ଆଇନ ମଧ୍ୟରେ ଆସୁଥିବା ଶିଶୁ ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ମାମଲା, ମହିଳା ନିର୍ଯ୍ୟାତନା ମାମଲା, ହେବିଅସ୍ କର୍ପସ ମାମଲା, ଭଳି ମାମଲାରେ ଯେଉଁଠି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସବୁର ଶୁଣାଣିର ଲାଇଭ ଟେଲିକାଷ୍ଟ ଉପରେ କଟକଣା ରହିବ।
ଶୁଣାଣୀ ସମୟରେ ଖଣ୍ଡପୀଠ ଯଦି ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ମାନେ ଲାଇଭ ଅନିଚ୍ଛା ପ୍ରକାଶ କରିଲେ ବି ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇପାରିବ।



