
ନୂଆଦିଲ୍ଲୀ,୨୮/୦୭/୨୧ (ଜିଲ୍ଲା ଖବର) : କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ବସବାରାଜ ବୋମ୍ମଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ବସବାରାଜ ବୋମ୍ମଇ । ବସବାରାଜ ୟେଦିୟୁରପ୍ପା ସରକାରରେ ରାଜ୍ୟର ଗୃହମନ୍ତ୍ରୀ ସହ ସଂସଦୀୟ ବ୍ୟାପାର ଏବଂ ଆଇନ ମନ୍ତ୍ରୀ ଦାୟିତ୍ବରେ ଥିଲେ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମ୍ମାଇଙ୍କ ପୁଅ ହେଉଛନ୍ତି ବସବାରାଜ ବୋମ୍ମଇ ।
ସୋମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବି.ଏସ.ୟେଦିୟୁରପ୍ପା। ଏହା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି.କିଷନ ରେଡ୍ଡିଙ୍କୁ ପର୍ଯ୍ୟବେକ୍ଷକ ଭାବେ କର୍ଣ୍ଣାଟକ ପଠାଇଥିଲେ ଦଳର ଶୀର୍ଷ ନେତୃତ୍ବ । ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକଙ୍କୁ ନେଇ ବିଧାୟକ ଦଳ ବୈଠକ ହୋଇଥିଲା।
ଯେଉଁଥିରେ ବସବାରାଜ ବୋମ୍ମଇ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ବସବାରାଜ ବୋମ୍ମଇ ଲିଙ୍ଗାୟତ ସମୁଦାୟରୁ ଆସୁଛନ୍ତି। ବିଜେପି ଲିଙ୍ଗାୟତ ସମୁଦାୟରୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛି ତାଙ୍କ ନାଁରେ ସହମତି ପ୍ରକାଶ ପାଇଛି।


