
ନୂଆଦିଲ୍ଲୀ,୨୮/୦୭/୨୧ (ଜିଲ୍ଲା ଖବର) : ଗତ ୧୮ ବର୍ଷ ମଧ୍ୟରେ ଦିଲ୍ଲୀରେ ଜୁଲାଇ ମାସରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଚଳିତ ମାସରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ୩୮୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ୨୦୦୩ ପରଠାରୁ ଏହି ମାସ ପାଇଁ ସର୍ବାଧିକ ରହିଛି । ଭାରତ ପାଣିପାଗ ବିଭାଗ ଅନୁଯାୟୀ ମଙ୍ଗଳବାର ସଫଦରଜଙ୍ଗ ଅବଜରଭେଟୋରୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଆସନ୍ତା ଚାରି ଦିନ ମଧ୍ୟରେ ଉତ୍ତର ଏବଂ ପୂର୍ବ ଭାରତ ଉପରେ ପ୍ରବଳ ବର୍ଷା କାର୍ଯ୍ୟକଳାପର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ । ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଉପରେ ଜୁଲାଇ ୨୮ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।
ଏହା ପରେ ଏହାର ତୀବ୍ରତା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି। ଜୁଲାଇ ୨୭ ଏବଂ ୨୮ ରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ଉପରେ ବିଚ୍ଛିନ୍ନ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ମଧ୍ୟ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରାାଇଛି ।


