
ନୂଆଦିଲ୍ଲୀ, ୨୬/୦୭/୨୧ (ଜିଲ୍ଲା ଖବର) : ଫିଲ୍ମ’ଦିଲ ବେଚାରା’ରେ ଅଭିନୟ କରିଥିବା ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇଛନ୍ତି ଏହି ଫିଲ୍ମ ସହ ବଲିଉଡ ଡେବ୍ୟୁ କରିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘୀ । ନିକଟରେ ଏହି ଫିଲ୍ମକୁ ବର୍ଷେ ପୁରିଛି । ଏବେ ଫିଲ୍ମର ବର୍ଷ ପୂର୍ତ୍ତି ଅବସରରେ ସୁଶାନ୍ତଙ୍କୁ ମନେ ପକାଇ ସଞ୍ଜନା ଇମୋସନାଲ ହୋଇପଡିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ମଧ୍ୟ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ସଞ୍ଜନା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ଏକ ବର୍ଷ ପୂର୍ବେ ମୋର ପ୍ରଥମ ଚଳଚ୍ଚିତ୍ର ‘ଦିଲ ବେଚାରା ରିଲିଜ’ ହେବା ପୂର୍ବ ଦିନ ସଂଧ୍ୟାରେ ମୋର ଭୟର କୌଣସି ସୀମା ନଥିଲା ଏବଂ ଆଜି ‘ଦିଲ ବେଚାରା’କୁ ବର୍ଷେ ପୂରିଛି। ଏହା ହିଁ ଜଣେ ଅଭିନେତା ହେବାର ସମ୍ବେଦନଶୀଳ, ଭାବପ୍ରବଣ ଏବଂ ଯାଦୁକର ଯାତ୍ରାକୁ ବାସ୍ତବ କରିଥାଏ। ଏହା ବାସ୍ତବରେ ସବୁଠାରୁ ବଡ ଭାଗ୍ୟ ଏବଂ ସମ୍ମାନ ଅଟେ । ଯାହା କି ମୁଁ ପାଇଛି।
କେବଳ ଏତିକି ନୁହେଁ, ଏହା ସହିତ ସେ ସୁଶାନ୍ତଙ୍କୁ ମନେ ପକାଇ ଏକଥା ମଧ୍ୟ ଲେଖିଛନ୍ତି ଯେ,‘ମୁଁ ତୁମ ବିଷୟରେ ଭାବୁଛି, ସୁଶାନ୍ତ ସିଂ ରାଜପୁତ’।
ଏହା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଥିଲା ।


