
୨୫/୦୭/୨୧ (ଜିଲ୍ଲା ଖବର) : ବନ୍ୟା ଯୋଗୁଁ ଚାରିଆଡ଼େ ପାଣି ଆଉ ପାଣି। ଛୋଟିଆ ଡଙ୍ଗା ସହ ଆଖୁ କିଆରିରେ ଛନ୍ଧି ହୋଇ ବୁଡ଼ି ଯାଉଥିଲେ ୩୦ ଜଣ ଗ୍ରାମବାସୀ। ହଠାତ୍ ଦେବଦୂତ ସାଜି ବନ୍ୟାପାଣିକୁ ଡେଇଁଲେ ୨ ସାହସୀ ଯୁବକ। ଉଦ୍ଧାର କରି ବଞ୍ଚେଇଲେ ୩୦ ଟି ଅମୂଲ୍ୟ ଜୀବନ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଚର୍ଚ୍ଚା।
କିଛି ଦିନ ଧରି ବର୍ଷା ଭାରତର ବିଭିନ୍ନ ରାଜ୍ୟରେ ଲଗାତର ତାଣ୍ଡବ ରଚିଛି। ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଧନ ଜୀବନ ମଧ୍ୟ ହାନି ହେବାର ସୂଚନା ମିଳିଛି । ତେବେ ବନ୍ୟା ଯୋଗୁଁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏ ଯାଏଁ ୧୫୦ ପାଖାପାଖି ଲୋକେ ବନ୍ୟା ହେତୁ ମୃତ୍ୟୁବରଣ କରିଥିବାର ଖବର ଆସିଛି। ଏନଡିଆରଏଫ୍ ଟିମ୍ ସମେତ ଅନ୍ୟ ସରକାରୀ ଏଜେନ୍ସି ଉଦ୍ଧାର କାର୍ଯ୍ୟ ଚଳେଇଥିବା ବେଳେ ବ୍ୟକ୍ତିଗତ ସ୍ତରରେ ସ୍ଥାନୀୟ ସାହସୀ ଲୋକମାନଙ୍କର କାର୍ଯ୍ୟ ମଧ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଅନ୍ୟତମ ବନ୍ୟା ପ୍ରପିଡ଼ିତ ଜିଲ୍ଲା ସାଙ୍ଗଲିର ଅଧିକାଂଶ ଅଂଚଳ ଏବେ ବି ବନ୍ୟା ପାଣିରେ ବୁଡ଼ି ରହିଛି। ସେଠାରେ ଏକ ପାଣିଘେରା ଅଞ୍ଚଳରେ ଛୋଟିଆ ଡ଼ଙ୍ଗା ନେଇ ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ କିଛି ଗ୍ରାମବାସୀ ଯାଉଥିଲେ, ଡଙ୍ଗାରେ ପ୍ରାୟ ୩୦ରୁ ଅଧିକ ଲୋକ ଥିଲେ।
ଡଙ୍ଗାଟି ପ୍ରବଳ ପାଣି ସୂଅରେ ଭାସିଯାଇ ଅଧାରୁ ବେଶି ବୁଡ଼ି ରହିଥିବା ଏକ ଆଖୁ କ୍ଷେତରେ ଫସି ଯାଇଥିଲା। ଡଙ୍ଗାରେ ଲାଗିଥିବା ମୋଟର ଅଚଳ ହୋଇ ଯାଇଥିଲା। ଦୁଇଜଣ ସ୍ଥାନୀୟ ଯୁବକ ଏହାକୁ ଦୂରରୁ ଥାଇ ଦେଖିଥିଲେ। ସେମାନେ ସାହସ କରି ପାଣିକୁ ଡେଇଁବା ସହିତ ଡଙ୍ଗା ପାଖରେ ପହଁଚି ମୋଟରକୁ ପୁଣି ଚାଲୁକରିବା ସହିତ ଲୋକମାନଙକୁ ଉଚ୍ଚ ସ୍ଥାନକୁ ଆଣି ପାରିଥିଲେ।
ମାତ୍ର ଦୁଇ ଜଣ ଯୁବକଙ୍କ ସାହସ, ଉପସ୍ଥିତ ବୁଦ୍ଧି ଓ ସମୟୋଚିତ ପଦକ୍ଷେପ ୩୦ ଟି ଅମୁଲ୍ୟ ଜୀବନ ବଂଚେଇ ଦେଲା। ସେଥିପାଇଁ ଉଦ୍ଧାର ପାଇଥିବା ଲେକାମାନେ ଖୁସି ବ୍ୟକ୍ତ କରିଛନ୍ତି।
ଯୁବକ ଦୁଇଜଣଙ୍କ ପାଖକୁ ଏବେ ପ୍ରଶଂସାର ସୁଅ ଛୁଟିଛି। ସାହସ ଥିଲେ ଅନେକ ବଡ଼ କାମ କରିହେବ ବୋଲି ଦୁଇ ଯୁବକ ପ୍ରମାଣିତ କରି ପାରିଛନ୍ତି।


