
୨୫/୦୭/୨୧ (ଜିଲ୍ଲା ଖବର) : 79 ତମ ‘ମନ୍ କି ବାତ’ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ୍ ରେ ଓଡିଶାର ଇସାକ ମୁଣ୍ଡାକୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଦିନ ମଜୁରିଆ ଭାବରେ କାମ କରୁଥିବା ଇସାକ ଆଜି କିପରି ଇଣ୍ଟରନେଟ୍ ର ସେନସେସନ ପାଲଟିଛନ୍ତି । ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କିପରି ୟୁଟ୍ୟୁବ୍ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ଏନେଇ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ମନ କି ବାତ୍ ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଇସାକ ମୁଣ୍ଡା ମାର୍ଚ୍ଚ 20 ରେ ୟୁଟ୍ୟୁବରେ ଚ୍ୟାନେଲ ଖୋଲିଥିଲେ । ଏଥିରେ ସେ ଲାଇଫ୍ ଷ୍ଟାଇଲ୍, ନିଜ ପରିବାର, ନିଜ ଗାଁ , ପାରମ୍ପରିକ ଖାଦ୍ୟ ଆଦି ବିଷୟରେ ଦେଖାଇଥିଲେ । ଏହାସହ ଓଡିଶାର ପଖାଳ ଖାଉଥିବା ଦେଖିବାକୁ ମିଳିଥିଲା । ସହରରେ ରହୁଥିବା ଲୋକମାନଙ୍କ ପାଇଁ ଗାଁ ର ଏହି ଚାଲି ଚାଳନ ଦେଖିବା ଏକ ସୁଯୋଗ । ତାଙ୍କର ଏହି ନିଆରା ଚିନ୍ତାଧାରା ପାଇଁ ସେ ଆଜି ଇଣ୍ଟରନେଟ୍ ରେ ସେନସେସନ ପାଲଟିଛନ୍ତି । ସେ ଉଭୟ ପରମ୍ପରା ଓ ପାରମ୍ପରିକ ଖାଦ୍ୟ ପାଳନ କରୁଛନ୍ତି । ଏହାସହ ଆମକୁ ଉତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ଆଦିବାସୀ ଯୁବକ ଇସାକ ମୁଣ୍ଡା। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁ ଥିଲେ । ଲକଡାଉନ ସମୟରେ କାମ ନ ପାଇବା ପରେ ତାଙ୍କ ଅବସ୍ଥା ଅଧିକ ସଙ୍ଗୀନ ହୋଇପଡ଼ିଥିଲା । ପତ୍ନୀ ସଙ୍ଗୀତା ଓରାମ, ତିନିଝିଅ ଓ ଗୋଟିଏ ପୁଅକୁ ନେଇ ୬ ପ୍ରାଣୀ କୁଟୁମ୍ବ କିଭଳି ଚଳିବେ ଇସାକଙ୍କୁ ଘାରିଥିଲା ଚିନ୍ତା।
ଏହାପରେ କାମଧନ୍ଦାକୁ ଯାଇ ନ ପାରି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ବାବୁପାଲ୍ଲୀ ଗାଁର ୩୫ ବର୍ଷର ଏହି ଆଦିବାସୀ ଯୁବକ ଦିନେ ଶୁଣିବାକୁ ପାଇଲେ ଯେ ୟୁଟ୍ୟୁବ ମାଧ୍ୟମରେ ଖୁବ ଭଲ ରୋଜଗାର ହୋଇପାରିବ। ଏହାପରେ ସେ ଭିଡିଓର କ୍ୟାଟିଗୋରି, ଭାଷା, ଚରିତ୍ର ଓ ଉପସ୍ଥାପନା ଶୈଳୀ କିଭଳି ହେବ ସେଦିଗରେ ଛତିଶଗଡ଼ର ୟୁଟ୍ୟୁବର ମନୋଜ ଦେଙ୍କ ଠାରୁ ୟୁଟ୍ୟୁବରେ ଦେଖିଥିଲେ।
ଆଉ ତା ପରେ ଇସାକମୁଣ୍ଡା ଇଟିଙ୍ଗ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ଆରମ୍ଭ କଲେ ଯାତ୍ରା। ମାର୍ଚ୍ଚ ୨୫ ତାରିଖରେ ପଖାଳ ଭାତକୁ ପିଆଜ ସହିତ ଖାଉଥିବା ଭିଡିଓକୁ ମିଳିଲା ଦର୍ଶକଙ୍କ ପ୍ରଶଂସା। ୨ରୁ ୩ ମାସ ମଧ୍ୟରେ ଲକ୍ଷେରୁ ଅଧିକ ସବସ୍କ୍ରାଇବର ହୋଇଯିବା ପରେ ଜୁଲାଇ ମାସରେ ୩୪ ହଜାର ଟଙ୍କା ମିଳିଥିଲା। ଅଗଷ୍ଟ ମାସରେ ମିଳିଲା ୫ ଲକ୍ଷ ଟଙ୍କା।
ଦିନେ ଦି ଓଳି ଖାଇବାକୁ ପାଉନଥିବା ଇସାକ ଏବେ ନିଜର ଏକ ଘର ତିଆରି କରିଛନ୍ତି । ଏପରିକି ଘରେ ସମସ୍ତ ପ୍ରକାରର ଆସବାବ ପତ୍ର ମଧ୍ୟ ଅଛି । ମାସକୁ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ମିଳୁଥିବା ବେଳେ ତାଙ୍କ ଚ୍ୟାନେଲ ସବସ୍କ୍ରାଇବ ସଂଖ୍ୟା ୭ ଲକ୍ଷ ୨୮ ହଜାରରେ ପହଞ୍ଚିଛି।




