
୨୪/୦୭/୨୧ (ଜିଲ୍ଲା ଖବର) : ରଥୋତ୍ସବରେ ୧୨ ଦିନର ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରିବିହାରୀ। ଦାରୁବ୍ରହ୍ମଙ୍କ ଘୋଷ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ।
ପ୍ରଥମେ ବିଜେ କାହାଳି ବାଜିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ପରେ ଆରମ୍ଭ ହୋଇଥିଲା ତିନିଠାକୁରଙ୍କ ଗୋଟି ପହଣ୍ଡି । ମା’ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା । ତା’ପରେ ଯାଇ ଆରମ୍ଭ ହୋଇଥିଲା କାଳିଆ ଠାକୁରଙ୍କ ପହଣ୍ଡି ।
ହଟିଆ ଠାକୁର ହଲି ହଲି ଚାରମାଳ ଉପରେ ଆଳତୀ ଗ୍ରହଣ କରିଥିଲେ । ମା’ ଲକ୍ଷ୍ମୀ ଠାକୁରାଣୀ ଚାହାଣୀ ମଣ୍ଡପରେ ମହାପ୍ରଭୁଙ୍କୁ ଚାହିଁବା ପରେ ଅପୂର୍ବ ଢଙ୍ଗରେ ଉତ୍ସବ ମୁଖର ହୋଇଥିଲା ବଡଦାଣ୍ଡ।
ପରମ୍ପରା ଅନୁଯାୟୀ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ। ଘଣ୍ଟ, ଘଣ୍ଟା କାହାଳୀର ତାଳେ ତାଳେ ଠାକୁରଙ୍କ ଏ ଅପୂର୍ବ ପହଣ୍ଡି ଦର୍ଶନ କରି ଦର୍ଶକ କୃତାର୍ଥ ହୋଇଛନ୍ତି । ଆଉ ପ୍ରଭୁଙ୍କ ଠାରୁ ପ୍ରତିଶ୍ରୁତି ରଖିଛନ୍ତି, ପ୍ରଭୁ ଆର ବର୍ଷକୁ ପୁଣି ଆସିବ। ଆମେ ତୁମ ଦର୍ଶନରେ କୃତାର୍ଥ ହୋଇଯିବୁ ପ୍ରଭୁ ।


