ସୂଚନା ଅଧିକାର କର୍ମୀଙ୍କୁ ସରପଞ୍ଚଙ୍କ ଧମକ

15

କଟକ,୨୩/୦୭/୨୧ (ଜିଲ୍ଲା ଖବର) : ଦୁର୍ନୀତି ହେଉଥିବା ନେଇ ତଥ୍ୟ ମାଗିବାରୁ ସୂଚନା ଅଧିକାର କର୍ମୀଙ୍କୁ ସରପଞ୍ଚଙ୍କ ଧମକ । ମାଡ଼ ମାରି ୭ ଦିନ ଭିତରେ ଉଠେଇ ନେବାକୁ ଧମକ ଦେଇଛନ୍ତି ଖୋଦ୍ ସରପଞ୍ଚ। ଏଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ସୂଚନା ଅଧିକାର କର୍ମୀ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆରେ।

ଏହି ପଂଚାୟତର ସରପଞ୍ଚ କାର୍ତ୍ତିକ ଜେନା ସୂଚନା ଅଧିକାର କର୍ମୀ ଆର୍ତ୍ତତ୍ରାଣ ଜେନାଙ୍କୁ ମାଡ଼ ମାରିବା ସହ ଅଶାଳୀନ ଧମକ ଫୋନ୍ ଯୋଗେ ଦେଇଥିବା ମାହାଙ୍ଗା ଥାନାରେ ଆର୍ତ୍ତତ୍ରାଣ ଅଭିଯୋଗ କରିଛନ୍ତି। ଆର୍ତ୍ତତ୍ରାଣ ଏହି ପଂଚାୟତରେ ହେଉଥିବା କିଛି ସରକାରୀ କାମର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ। କାହିଁକି ତଥ୍ୟ ମାଗିଛୁ ବୋଲି କାର୍ତ୍ତିକ ସୂଚନା ଅଧିକାରୀଙ୍କୁ ଧମକ ଦେଇଥିବା ଏକ ଅଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଏଣୁ ଜୀବନ ଉପରେ ବିପଦ ଥିବା ଦର୍ଶାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆର୍ତ୍ତତ୍ରାଣ। ସେପଟେ ମାହାଙ୍ଗା ପୋଲିସ ଏହା ଉପରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।