
୨୩/୦୭/୨୧ (ଜିଲ୍ଲା ଖବର) : ଟୋକିଓ ଅଲିମ୍ପିକରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଭାରତ । ଏଥର ରେକର୍ଡ ସଂଖ୍ୟକ ଭାରତୀୟ ପ୍ରତିଯୋଗୀ ବିଶ୍ୱ କ୍ରିଡ଼ା ମହାକୁମ୍ଭରେ ଭାଗ ନେବେ । ଏହି ମେଗା ଇଭେଣ୍ଟରେ ଭାରତର ୧୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ତେଣୁ ପୂର୍ବ ଅପେକ୍ଷା ଚଳିତ ଅଲିମ୍ପିକରେ ଭାରତ ଅଧିକ ପଦକ ଜିତିବ ବୋଲି ଆଶା ରହିଛି ।
ପ୍ରତିଯୋଗୀତା ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଆଥ୍ଲେଟ୍ଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି । ନିର୍ଭିକ ହୋଇ ବିନା ଚାପରେ ଖେଳିବାକୁ କ୍ରୀଡ଼ାବିତ୍ତଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଭାରତୀୟ ପ୍ରତିଯୋଗୀଙ୍କୁ ଅଧିକ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଦେଶବ୍ୟାପି ଚାଲିଛି ‘ଚିୟର ଫର୍ ଇଣ୍ଡିଆ’ ଅଭିଯାନ । ସଂସଦଭବନ ପରିସରରୁ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ ଅନୁରାଗ ଠାକୁର ସମସ୍ତେ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଭିଡ଼ିଓ ବନାଇ ତାକୁ ୫ ଜଣଙ୍କ ସହ ଟ୍ୟାଗ୍ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ଏହାର ନାଁ ଦିଆଯାଇଛି ଭିକ୍ଟରି ପଞ୍ଚ । କେନ୍ଦ୍ର କ୍ରିଡ଼ାମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଭାରତୀୟ ଅଲମ୍ପିକ୍ ପ୍ରତିଯୋଗୀଙ୍କ ପାଇଁ ଏକ ଭିଡ଼ିଓ ସୁଟ୍ କରିଛନ୍ତି ଏବଂ ସବୁ ପ୍ରଶଂସକଙ୍କୁ ସେପରି କରିବାକୁ ଅନୁରୋଧ କରିଛନ୍ତି ।



