
ନୂଆଦିଲ୍ଲୀ, ୧୮/୦୭/୨୧ (ଜିଲ୍ଲା ଖବର) : ବଲିଉଡରୁ ନେଇ ହଲିଉଡ ଯାଏଁ , ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଆଜି ଜନ୍ମଦିନ । ୧୮ ଜୁଲାଇ ୧୯୮୨ରେ ଜାମସେଦପୁରରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୨୦୦୨ରେ ତାମିଲ ଫିଲ୍ମ’ଥମିଜନ’ମାଧ୍ୟମରେ ସେ ଫିଲ୍ମ ଦୁନିଆଁରେ ପାଦ ଥାପିଥିଲେ । ଏହାପରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା, ଯାହା ଆଜି ତାଙ୍କୁ ବେଶ ପରିଚିତ ଏବଂ ଲୋକପ୍ରିୟ କରିପାରିଛି । ସେ ତାଙ୍କ କ୍ୟାରିୟରରେ ଅନେକ ବଡବଡ କଳାକାରଙ୍କ ସହିତ କାମ କରିଛନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ବାପା ଓ ମା’ ଉଭୟେ ଡାକ୍ତର ଥିଲେ । ଛୋଟବେଳେ ବହୁତ ଦୁଷ୍ଟ ଥଲେ ପ୍ରିୟଙ୍କା । ଯେଉଁଥିପାଇଁ ୩ୟ କ୍ଲାସରୁ ତାଙ୍କୁ ହଷ୍ଟେଲରେ ଛାଡି ଦେଇଥିଲେ ତାଙ୍କ ବାପା-ମା’ । ଆଉ ଯେତେବେଳେ ସେ ହାଇସ୍କୁଲରେ ଥିଲେ, ସେତେବେଳେ ତାଙ୍କୁ ପଢିବା ପାଇଁ ଆମେରିକା ପଠା ଯାଇଥିଲା । ହେଲେ ସେତେବେଳେ ସେଠାରେ ସେ ତାଙ୍କ ଶ୍ୟାମଳ ବର୍ଣ୍ଣକୁ ନେଇ ରଙ୍ଗଭେଦର ଶିକାର ହୋଇଥିଲେ । ଏହାପରେ ସେ ସେଠାରୁ ପୁଣି ଇଣ୍ଡିଆ ଫେରି ଆସିଥିଲେ । ଏବଂ ଏଠାରେ ସେ ତାଙ୍କର ବାକି ପାଠପଢା ଶେଷ କରିଥିଲେ ।
୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ଓ୍ବାଲ୍ଡ ର ଖିତାବ ଜିତିଥିଲେ । ଏହାପରେ ସେ ୨୦୦୨ରେ ତାମିଲ ଫିଲ୍ମ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସତ, ହେଲେ ୨୦୦୩ରେ ସେ ସନି ଦେଓ୍ବଲଙ୍କ ଫିଲ୍ମ’ଦ-ହିରୋ’ରେ ଦ୍ବିତୀୟ ଲିଡ ଅଭିନେତ୍ରୀ ରୂପରେ କାମ କରିବାର ସୁଯୋଗ ପାଇଥିଲେ । ଏହାପରେ ସେ ଫିଲ୍ମ ‘ଏତରାଜ’ରେ କାମ କରିବା ପରେ ସେ ବେଶ ଲୋକପ୍ରିୟ ହୋଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ସୁପର-ଡୁପର ହିଟ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଜନ୍ମଦିନର ଢେରସାରା ଶୁଭକାମନା ।


