
କଳାହାଣ୍ଡି,୧୮/୦୭/୨୧ (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ (JH 05X6263) ବୋଲେରୋରୁ ପୁଣି ଗଞ୍ଜେଇ ଜବତ କରିଛି । ବୋଲେରୋ ଗାଡ଼ିଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା, କେସିଙ୍ଗା ସହର ଦେଇ ବଲାଙ୍ଗିର ପଟକୁ ଯାଉଥିବା ସମୟରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୋଲିସ ବୋଲେରୋ ଗାଡ଼ିକୁ ଅଟକାଇ ଥିଲା ଓ ସନ୍ଦେହରେ ଯାଞ୍ଚ କରିଥିଲା ।
ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଶାଢ଼ୀ ରହିଥିଲା ବେଳେ ଶାଢ଼ୀ ଭିତରୁ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । କେସିଙ୍ଗା ଅତିରିକ୍ତ ତହସିଲଦାର ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇକୁ ଜବତ୍ କରାଯାଇଛି।
ପୋଲିସ ସଂପୃକ୍ତ ବୋଲେରୋକୁ ଜବତ କରିବା ସହ ଗାଡ଼ିର ଡ୍ରାଇଭର ଓ ଜଣେ ଯୁବତୀ ସହ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ବିହାରର ବୋଲି ଜଣାପଡିଛି ।
କେସିଙ୍ଗା ଆଦର୍ଶ ଥାନା ପୋଲିସ ଗତ କିଛି ଦିନ ହେଲା ଚୋରା ଚାଲାଣ ଗଞ୍ଜେଇକୁ ଲଗାତାର ଧରିବାରେ ସଫଳ ହେଉଥିବା ଜଣାପଡ଼ିଛି। ତେବେ ଆଜି ଜବତ ହୋଇଥିବା ଗଞ୍ଜେଇର ପରିମାଣ କେତେ ରହିଛି ତାହା ଜଣାପଡ଼ି ନଥିବା ବେଳେ ବର୍ତ୍ତମାନ ତଦନ୍ତ ଚାଲିଛି ।



