
୧୭/୦୭/୨୧ (ଜିଲ୍ଲା ଖବର) : ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗେମ୍ସରେ ସଂକ୍ରମଣ ବିଷୟରେ ଚିନ୍ତା ବଢାଇ ଦେଇଛି ।
ଅଲିମ୍ପିକ୍ସ ଆୟୋଜନରେ ସାମିଲ ଥିବା ବାହାର ଦେଶର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
କରୋନା ମହାମାରୀ ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିଥିଲା । ଏବର୍ଷ ବିନା ଦର୍ଶକରେ କଡ଼ା ସୁରକ୍ଷା ଭିତରେ ଆୟୋଜନ ହେଉଛି । କ୍ୱାରେଣ୍ଟାଇନ ନିୟମକୁ ବି କଡ଼ାକଡ଼ି କରାଯାଇଛି । ଅଲିମ୍ପିକ୍ସ ଭିଲେଜରୁ ପ୍ରଥମ କରୋନା କେସ୍ ବାହାରିବା ପରେ ଭୟ ବଢ଼ିଛି ।



