
ନୂଆଦିଲ୍ଲୀ, ୧୬/୦୭/୨୧ (ଜିଲ୍ଲା ଖବର) : କରୋନା ମହାମାରୀ ଓ ଲକଡାଉନ କାରଣରୁ ଅନେକ ଲୋକ ନିଜର କାମ ହରାଇ ହାତବାନ୍ଧି ବସିଛନ୍ତି । ଯାହା ଫଳରେ ଅନେକ ଲୋକ ଏବେ ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରୁଛନ୍ତି । ଏଥିରୁ ବାଦ୍ ପଡି ନାହାଁନ୍ତି କଳାକାର । ଅନେକ କଳାକାରଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ତେବେ ଏବେ ବଲିଉଡର ବରିଷ୍ଠ ଅଭିନେତ୍ରୀ ସବିତା ବଜାଜ୍ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ନିକଟରେ ସେ ସାହାଯ୍ୟ ପାଇଁ ଗୁହାରୀ ମଧ୍ୟ କରିଛନ୍ତି । ଏବେ ତାଙ୍କ ପାଇଁ ଚଳିବା କଷ୍ଟକର ହୋଇ ପଡିଛି ।
ତାଙ୍କ ଅବସ୍ଥା ଏପରି ହୋଇ ଯାଇଥିଲା ଯେ, ଆମ୍ବୁଲାନ୍ସ ଷ୍ଟ୍ରେଚରରେ ଶୋଇ ଅଭିନେତ୍ରୀ କହିଥିଲେ ଯେ, ମୋ ଗଳା ଚିପି ମତେ ମାରିଦିଅ । ଏମିତି ଜୀବନ ମତେ ଦରକାର ନାହିଁ । ଏହାଠାରୁ ଭଲ କି ମୁଁ ମରିଯାଏ । ଏ ଦୁନିଆଁରେ ମୋର କେହି ନାହାଁନ୍ତି , ଯିଏକି ମତେ ସମ୍ଭାଳିବେ ।
ପ୍ରକାଶ ଥାଉକି, ସବିତା ବଜାଜ୍ ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ବାରମ୍ବାର ହସ୍ପିଟାଲ ଯିବାକୁ ପଡୁଛି । ୩ ମାସ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଥିଲେ । ଏହାପରେ ପୁଣି ଥରେ ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ , ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ଯେଉଁଥିରେ ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ତାଙ୍କର ସମସ୍ତ ଜମା ଟଙ୍କା ସରି ଯାଇଛି ।
ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ଦୁଃଖର କଥା କି ମୋ ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି । ୨୫ ବର୍ଷ ପୂର୍ବେ ମୁଁ ନିଷ୍ପତି ନେଇଥିଲି କି,ମୁଁ ମୋ ହୋମଟାଉନ ଦିଲ୍ଲୀକୁ ଫେରିଯିବି । କିନ୍ତୁ ମୋ ପରିବାରରେ କେହି ବି ମତେ ସାଥିରେ ରଖିବାକୁ ଚାହୁଁନଥିଲେ । ମୁଁ ବହୁତ୍ ରୋଜଗାର କରିଛି । ଅନେକ ଅସହାୟଙ୍କୁ ସାହାଯ୍ୟ କରିଛି । କିନ୍ତୁ ଆଜି ମତେ ସାହାଯ୍ୟର ଆବଶ୍ୟକତା ଅଛି ।


