
ଭୁବନେଶ୍ୱର, ୧୬/୦୭/୨୧ (ଜିଲ୍ଲା ଖବର) : ସରିଲା ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ । ଆଜିଠୁ ସାରା ରାଜ୍ୟରେ ଲାଗୁ ହେଲା ନୂଆ ଗାଇଡଲାଇନ୍ । ଅଗଷ୍ଟ 1 ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ ଜାରି ରହିବ । ଏହାରି ଭିତରେ ରାଜ୍ୟରେ କିଛି ନିୟମ କୋହଳ କରାଯାଇଥିବାବେଳେ କିଛି କଡାକଡି ହୋଇଛି । ନୂଆ ଗାଇଡଲାଇନ ଅନୁସାରେ ସାରା ରାଜ୍ୟରେ ଗଡ଼ିବ ବସ୍ । ପୁରୀରେ ରଥଯାତ୍ରା ଚାଲିଥିବାରୁ 25 ଜୁଲାଇ ଯାଏଁ ବସ୍ ଚଳାଚଳ କରିବ ନାହିଁ ।
ଅନ୍ୟପଟେ 19 ରୁ ଗଡିବ ମୋ ବସ । ମେ 4 ରୁ ମୋ ବସ୍ ସେବା ବନ୍ଦ ଥିବାବେଳେ କେବଳ ବିମାନବନ୍ଦରରୁ ରେଳ ଷ୍ଟେସନ, କଟକକୁ ସଟଲ୍ ସେବା ଉପଲବ୍ଧ ହେଉଥିଲା ।
ଅନ୍ୟପଟେ ସାରା ରାଜ୍ୟରେ ଅଟୋ, ଟ୍ୟାକ୍ସି ଚଳାଚଳ କରିପାରିବ । ଆଜିଠୁ ଜିମ୍, ବିୟୁଟି ପାର୍ଲର, ସ୍ପା ଖୋଲା ରହିବ । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନ ମଧ୍ୟ ଖୋଲିପାରିବ । ପାର୍କ, ମଲ୍, ସିନେମା ହଲ୍ ଓ ବାର ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ଖୋଲିବ ନାହିଁ । ଏହା ସହ ରେଷ୍ଟୁରାଣ୍ଟ, ଉଠା ଦୋକାନୀ କେବଳ ପାର୍ସଲ ଦେଇପାରିବେ । ପୂର୍ବଭଳି କ୍ୟାଟାଗୋରୀ `ଏ’ରେ 20ଟି ଓ କ୍ୟାଟାଗୋରୀ `ବି’ ରେ ସେହି 10ଟି ଜିଲ୍ଲା ରହିଛନ୍ତି । କ୍ୟାଟାଗୋରୀ `ଏ’-ସକାଳ 6ଟାରୁ ରାତି 8ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କ୍ୟାଟାଗୋରୀ `ବି’ରେ ସକାଳ 6ଟାରୁ ସଂଧ୍ୟା 5ଟା ଯାଏ ଦୋକାନ ବଜାର ଖୋଲା ।
କ୍ୟାଟାଗୋରୀ `ଏ’ ଜିଲ୍ଲାରେ ସପ୍ତାହର 7 ଦିନ ସକାଳ 6ଟାରୁ ରାତି 8ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ରାତି 8ଟାରୁ ସକାଳ 6ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । କ୍ୟାଟାଗୋରୀ `ବି’ରେ ଥିବା 10 ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଏହାସହ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ ।



