
ଆସିକା,୧୫/୦୭(ଜିଲ୍ଲା ଖବର) : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବିରୋଧରେ ସି.ପି.ଆଇ (ଏମ୍-ଏଲ୍)ରେଡଷ୍ଟାର ଆସିକା ବ୍ଳକ କମିଟି ପକ୍ଷରୁ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବିଜୁପଟ୍ଟନାୟକ ଛକରେ ବହୁ ସମୟ ଧରି ରାସ୍ତା ଅବରୋଧ କରିବା ସହ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ୟାଙ୍କ, ଦୋକାନ, ବଜାର ବନ୍ଦ କରିଥିଲେ ଏବଂ ଆସିକା କୋର୍ଟ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସି.ପି.ଆଈ(ଏମ୍-ଏଲ)ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ ଓ ଖାଉଟି ମାରଣ ନୀତିକୁ ଭର୍ସନା କରିଥିଲେ । କର୍ପୋରେଟମାନଙ୍କ ସ୍ବାର୍ଥରେ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝ ବଢାଇ ଚାଲିଛନ୍ତି । ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ଥିବା ବେଳେ ଏ ସରକାର ଗୋଟିଏ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲରୁ ଚାରି ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ଲୁଟି ନେଇଛନ୍ତି । ଏହି ଆନ୍ଦୋଳନରେ ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ବ୍ଳକ କମିଟି ସଦସ୍ୟା ଲଳିତା ସ୍ବାଇଁ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ରାଜନ ନାହକ, ପ୍ରଫୁଲ୍ଲ ସାହୁ, ଘନଶ୍ୟାମ ଲେଙ୍କା, କ୍ରାନ୍ତିକାରୀ କୃଷକ ସଭାର ବିଧାନ ନାୟକ, ପଞ୍ଚୁ ନାହକ, ସଂଯୁକ୍ତା ଜେନା ଆଦି ଯୋଗଦେଇଥିଲେ ।



