Home ଆଞ୍ଚଳିକ ପଦ୍ମଶ୍ରୀ ତୁଳସୀ ମୁଣ୍ଡା : ୨ ଟଙ୍କା ପାରିଶ୍ରମିକରେ ପଥର କାଟିଥିବା ରତ୍ନଟିଏ

ପଦ୍ମଶ୍ରୀ ତୁଳସୀ ମୁଣ୍ଡା : ୨ ଟଙ୍କା ପାରିଶ୍ରମିକରେ ପଥର କାଟିଥିବା ରତ୍ନଟିଏ

6

୧୫/୦୭/୨୧ (ଜିଲ୍ଲା ଖବର) : କେନ୍ଦୁଝର ଓଡ଼ିଶାକୁ ରତ୍ନଗର୍ଭାର ପରିଚୟ ଦେଇଥିବା ମାଟିର ନାଁ। ଏଇ ମାଟିରେ ଭରି ରହିଛି ବକସାଇଟ, କ୍ରୋମାଇଟ, ଲୁହାପଥର ଭଳି ଦୁମୂଲ୍ୟ ସମ୍ପଦା। ଯାହା ଆଜି ଓଡିଶାକୁ ସିଂହଭାଗ ରାଜସ୍ବ ସମର୍ପଣ କରୁଛି।

ଆଉ ସେହି ମାଟିର ଝିଅ ହେଉଛନ୍ତି ତୁଳସୀ ମୁଣ୍ଡା। ଆମ ସମସ୍ତଙ୍କର ପ୍ରିୟ ତୁଳସୀ ଅପା।  ୧୯୪୭ ମସିହା ଜୁଲାଇ ୧୫ ତାରିଖରେ ସେ କେନ୍ଦୁଝର ଜିଲ୍ଲାର କଇଁଶିପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ପିଲାଟିବେଳୁ ସ୍କୁଲରେ ପଢିବାକୁ ତାଙ୍କର ଅହେତୁକ ଆଗ୍ରହ। ପାଠ ପଢିଲେ, ଇଂରାଜୀ, ହିନ୍ଦି କହିବେ। ହେଲେ ତାଙ୍କ ସ୍ୱପ୍ନ ସାର୍ଥକ କେମିତି ହେବ। ସେ ସମୟ ତାଙ୍କ ଅନୁକୂଳ ନ ଥାଏ। ବାପା-ମା’ଙ୍କ ସାନଝିଅ ବୋଲି ତାଙ୍କୁ ସବୁ କାମରେ ସାହାଯ୍ୟ କରିବା ତାଙ୍କର ପ୍ରମୁଖ କାର୍ଯ୍ୟ।

ତଥାପି ଜଣେ ଖଣି କର୍ମଚାରୀଙ୍କ ବଦାନ୍ୟତା ଯୋଗୁ ସେ ପାଠ ପଢନ୍ତି। କିଛି କିଛି ଶିଖିବା ପରେ ପରିବାରର ବୋଝ ମୁଣ୍ଡରେ ପଡିବାରୁ, ତୁଳସୀଙ୍କୁ ଯିବାକୁ ପଡେ ଖାଦାନକୁ, ପଥର କାଟି। ମାତ୍ର ୨ଟଙ୍କାର ପାରିଶ୍ରମିକରେ ତୁଳସୀ ପାଲଟନ୍ତି ଶ୍ରମିକ ତୁଳସୀ।

ହେଲେ କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ପାଠ ପଢିବାର ଅଦମ୍ୟ ଅଭିଳାଷ ତାଙ୍କୁ ପାଠ ପଢାଏ। ଶିକ୍ଷାର ଆଲୁଅ ବାଣ୍ଟିବାକୁ ସେ ଉଭା ହୁଅନ୍ତି ରତ୍ନଗର୍ଭା କେନ୍ଦୁଝରର ଆଲୋକ ବର୍ତ୍ତିକା ହୋଇ।     

ବିଦ୍ୟାଳୟର ମାଟି ମାଡି ନ ଥିବା ଜଣେ ମଣିଷ ପାଲଟେ ଶହ ଶହ ଆଦିବାସୀ ପିଲାଙ୍କ ପ୍ରେରଣାର ଉସ୍ବ। ଦୃଢ ମନବଳ ଓ ଇଚ୍ଛା ଶକ୍ତି ଆଗରେ ସବୁକିଛି ହାରମାନେ ।

ଆସିବାସୀ ବହୁଳ ଅଂଚଳରେ ଶିକ୍ଷାର ପ୍ରଚାର ପ୍ରସାର ପରେ  ତାଙ୍କ ଜୀବନର ଗତିପଥକୁ ବଦଳି ଯାଇଥିଲା । ଏହାପରେ ସେ ଭୂଦାନ ଆନ୍ଦୋଳନ ପାଇଁ  ଆୟୋଜିତ ଶାନ୍ତି ସୈନିକ ତାଲିମ୍ ପାଇଁ ଚାଲି ଯାଇଥିଲେ  ମଧ୍ୟପ୍ରଦେଶ । ସେଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ସମାଜ ସେବା । ସେଠାରୁ ତାଲିମ୍ ନେଇ ଫେରିବା ପରେ ସେ ଯୋଡା, ବଡବିଲ ଅଂଚଳରେ ଖଣିରେ କାମ କରୁଥିବା ଶ୍ରମିକଙ୍କ ପିଲାମାନେ, ଅର୍ଥ ଅଭାବରୁ ପାଠପଢି ପାରୁ ନ ଥିବାରୁ ସେମାନଙ୍କୁ ନିଃଶୁଳ୍କ ପାଠ ପଢାଇବାକୁ ସ୍ଥିର କଲେ । ଏହାପରେ ୧୯୬୪ରେ ଏକ ସ୍କୁଲ ଖୋଲିଲା । ୩୦ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲ, ଆଜି ଐତିହାସିକ ବିଦ୍ୟାଳୟରେ ପରିଣତ ହୋଇଛି ।  ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ,ଆଦିବାସୀ ପିଲାମାନେ ମାଗଣାରେ ପାଠ ପଢନ୍ତି ।

ସମାଜସେବା କରି ଆଦିବାସୀ ବହୁଳ ଅଂଚଳ ତଥା ସାରା ଓଡିଶା ଓ ଓଡିଶା ବାହାରେ ମଧ୍ୟ ସେ ହେଉଛନ୍ତି ଏବେ ଆମର ପରିଚୟ । ପଦ୍ମଶ୍ରୀ ତୁଳସୀ ମୁଣ୍ଡା।

ଆଦିବାସୀ ଅଞ୍ଚଳରେ ଛୋଟିଆ ସ୍କୁଲ କରି ପିଲାମାନଙ୍କୁ ପାଠ ପଢାଇ ମଣିଷ କରିବାର ତାଙ୍କ ମନୋବଳକୁ ସରକାର ସ୍ବୀକୃତୀ ଦେଇଛନ୍ତି ୨୦୦୧ରେ। ମିଳିଛି ପଦ୍ମଶ୍ରୀ ଉପାଧି। 

ନବଜୀବନ ମଣ୍ଡଳ, ଉକ୍ବଳ ସର୍ବୋଦୟ ମଣ୍ଡଳ, ଗାନ୍ଧୀ ସ୍ମାରକ ନିଧି, ବନବାସୀ ସେବା ସମିତି, ଜନସଚେତନତା ମଣ୍ଡଳ, ମା’ ରମାଦେବୀ ଗ୍ରାମ ସଂଗଠନ ଓ ରେଡକ୍ରସ ସହ ତୁଳସୀ ମୁଣ୍ଡା କାମ କରିଛନ୍ତି ।   ଆଦିବାସୀ ବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି  ପାଇଁ ଉଦାହରଣୀୟ କାର୍ଯ୍ୟ କରିଥିବା ତୁଳସୀ ମୁଣ୍ଡା ,ଆଜି ରାଜ୍ୟରେ ଜଣେ ଆଗଧାଡିର ସମାଜସେବୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଉପାଧି  ମିଳିଛି ।

ଆଜି ତୁଳସୀଙ୍କ ଜନ୍ମଦିନରେ ଅର୍ଗସ୍ ପରିବାର ପକ୍ଷରୁ ଶହସ୍ର ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ତାଙ୍କ ଚଲାପଥ କୁସୁମିତ କରନ୍ତୁ ବୋଲି ପ୍ରାର୍ଥନା।