
୧୫/୦୭/୨୧ (ଜିଲ୍ଲା ଖବର) : କାଲି ହେରା ପଞ୍ଚମୀ। ମହାଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଦାମ୍ପତ୍ୟ କଳହର ଗୋଟିଏ ଫର୍ଦ୍ଦ କାଲି ଖୋଲିବ। ରଥ ଭାଙ୍ଗିବେ ଠାକୁରାଣୀ, ଦହିପଟି ଖାଇ ଦେଉଳକୁ ଫେରିବା । ମା’ ଆସିବେ ବୋଲି ସାଆନ୍ତେ ଆଜି ସଜ ହେବେ । ହେବ ବନକଲାଗୀ ନୀତି।
ଶ୍ରୀମନ୍ଦିରରର ଅନେକ ନୀତିକାନ୍ତି ମଧ୍ୟରୁ ଗୋଟିଏ ହେଉଛି ବନକଲାଗି । ବନକ ଶବ୍ଦଟି ବର୍ଣ୍ଣରୁ ଆସିଥାଇପାରେ, ମାନେ ମହାପ୍ରଭୁମାନଙ୍କୁ ରଙ୍ଗ କରିବା। ଶ୍ରୀ ବିଗ୍ରହମାନଙ୍କୁ ରଙ୍ଗ କରିବା କ୍ରମକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ‘ବନକଲାଗି’ ବୋଲି କୁହାଯାଏ ।
ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ରୂପା ପିଙ୍ଗଣ ବା ବଟାରେ ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଏହି ନୀତି ସମ୍ପାଦିତ ହୁଏ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ହୁଏନାହିଁ ସର୍ବସାଧାରଣ ଦର୍ଶନ ବନ୍ଦ ହୁଏ।
ମାତ୍ର ୪ଟି ରଙ୍ଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶୋଭା ବର୍ଦ୍ଧନ କରନ୍ତି ।
ଧଳା, କଳା, ନାଲି ଓ ହଳଦିଆ। ଏହି ୪ଟି ରଙ୍ଗ ହିଁ ବ୍ୟବହୃତ ହୋଇଥାଏ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ।
ଦତ୍ତମାହାପାତ୍ର ସେବକମାନେ ରତ୍ନସିଂହାସନ ଆରୋହଣ ପୂର୍ବକୁ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ ଓ ଅନ୍ୟ ନୀତି ବଢିଥାଏ।
( ଏହି ଫଟୋରେ ଥିବା ଚିତ୍ରଟି ଶିଳ୍ପୀ ସୂର୍ଯ୍ୟକାନ୍ତ ଚିତ୍ରଣ କରିଛନ୍ତି)


