
୧୫/୦୭/୨୧ (ଜିଲ୍ଲା ଖବର) : ୨୦୦୩ ଜୁଲାଇ ୧୫.. ଭୁବନେଶ୍ୱର ସିଜୁଆରେ AIIMS ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସେବେ ହିଁ ପଡ଼ିଥିଲା ଭୁବନେଶ୍ୱର AIIMSର ମୂଳଦୁଆ । ୨୦୧୨ରେ ଓଡ଼ିଶାରେ ଆରମ୍ଭ ହେଲା ଦେଶର ଦ୍ବିତୀୟ AIIMS । ତେବେ ଆଜି AIIMSକୁ ପୂରିଛି ୯ ବର୍ଷ ।
ଓଡ଼ିଶା ପାଇଁ ଅନେକ ଗୌରବ ଆଣିଛି AIIMS । ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର AIIMS । ଆଜି ୯ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗର ସଚିବ ଡ. ରେଣୁ ସ୍ୱରୂପ । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
ଏହାସହ ଆଜିଠୁ କରୋନା ଲଢ଼େଇରେ ରାଜ୍ୟକୁ ବଳ ଦେବ AIIMS । ଆଜି AIIMSରେ ବହୁ ପ୍ରତିକ୍ଷିତ ECMO ମେସିନର ଉଦ୍ଘାଟ କରାଯିବ । କରୋନାରେ ଲୋକଙ୍କ ଫୁସଫୁସ ସଂକ୍ରମଣ ହେଉଥିବା ବେଳେ, ବର୍ତ୍ତମାନ ଗୁରୁତର ରୋଗୀ ଅପରେସନ ପାଇଁ ବାହାର ରାଜ୍ୟକୁ ଏୟାର ଲିଫ୍ଟ ହେଉଛନ୍ତି । ଏହି ECMO ମେସିନ ପ୍ରତିଷ୍ଠା ହେବା ପରେ ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବା ପଡ଼ିବନି । ସେପଟେ ଆଜି ପେଡିଆଟ୍ରିକ୍ ବ୍ରୋଙ୍କୋସ୍କୋପି ମେସିନ୍, ପେଟ-ସିଟି ସ୍କାନ୍ ମେସିନ୍, ଲିଥୋଟ୍ରିପ୍ସୀ, ଡେକ୍ସା ସ୍କାନ ମେସିନ ଆଦିର ଉଦ୍ଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଡାସହ ପ୍ରତିଷ୍ଠା ଦିବସ ଅବସରରେ ପରିଚାଳନା, ସଫେଇ ଏବଂ ଲୋକଙ୍କ ମତାମତ ଉପରେ ଆଧାରିତ ବିଭିନ୍ନ କମିଟି ଦ୍ବାରା ଚୟନ କରାଯାଇଥିବା ଶ୍ରେଷ୍ଠ ଆଉଟ୍ଡୋର, ୱାର୍ଡ ଓ ICU ମାନଙ୍କୁ ପୁରଷ୍କୃତ କରାଯିବ ।


