
୧୫/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ସହ ଦର ବୃଦ୍ଧି ନେଇ ସାଧାରଣ ଜନତାଙ୍କ ମୁଣ୍ଡରେ ପଡିଛି ଚଡ଼କ । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ସବୁ ଜିଲ୍ଲାରେ ବିକ୍ଷୋଭ ଓ ପ୍ରତିବାଦ କରୁଛି ଦଳ । ସେପଟେ ସବୁ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ମାର୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ସଭାପତି ଇରାଶିଷ ଆଚାର୍ୟ୍ୟ ।
ଜୁଲାଇ ୧୬ରୁ ୨୦ ଯାଏ କ୍ୟାଣ୍ଡେଲ ମାର୍ଚ୍ଚ କରିବ ବିଜେପି ଯୁବମୋର୍ଚ୍ଚା । ବିଦ୍ୟୁତ ପରିଚାଳନାରେ ଶକ୍ତି ବିଭାଗ ଫେଲ ମାରିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ପୁଳାପୁଳା ଅଭିଯୋଗ । ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ବିଦ୍ୟୁତ କମ୍ପାନି ମନଇଚ୍ଛା ବିଜୁଳି କାଟ କରୁଛନ୍ତି । ତା ସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟତ ଦରବୃଦ୍ଧି ଲଦି ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । ବିନା ମିଟରରେ ଉପଭୋକ୍ତାଙ୍କ ପାଖକୁ ବିଜୁଳି ବିଲ ଆସୁଥିବା ବେଳେ ବିଦ୍ୟୁତ ସଂଯୋଗ ନ ହୋଇ ଚାଷୀଙ୍କ ନାଁରେ ଆସିଛି ଲକ୍ଷାଧିକ ଟଙ୍କାର ବିଲ୍ । ଏହାକୁ ନେଇ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚା ।


