
ଭୁବନେଶ୍ୱର,୧୩/୦୭/୨୧ (ଜିଲ୍ଲା ଖବର) : ଓଡ଼ିଶାରେ ହେଉଛି ସର୍ବାଧିକ ବଜ୍ରପାତ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଏଭଳି ଅଲୋଡ଼ା ରେକର୍ଡ କରିଛି । ରିପୋର୍ଟ ଅନୁସାରେ ଓଡ଼ିଶାରେ 1 ଏପ୍ରିଲ 2020 ରୁ 31 ମାର୍ଚ୍ଚ 2021 ମଧ୍ୟରେ 20 ଲକ୍ଷ 43 ହଜାର ଥର ବଜ୍ରପାତ ହୋଇଛି । ଏହି ସମୟ ଭିତରେ ପୂରା ଦେଶରେ 1 ହଜାର 697 ଜଣଙ୍କ ଜୀବନ ଯାଇଛି ।
ଏହି ତାଲିକାରେ ବିହାରରୁ 401, ଉତ୍ତରପ୍ରଦେଶରୁ 238, ମଧ୍ୟପ୍ରଦେଶରୁ 228 ଏବଂ ଓଡ଼ିଶାରୁ 156 ମୃତକ ରହିଛନ୍ତି । ବର୍ଷ 2020 ରୁ 2021 ମଧ୍ୟରେ ରାଜ୍ୟରେ 37 ପ୍ରତିଶତ ବଢ଼ିଛି ବଜ୍ରପାତର ହାର । ଯାହାକି 20 ଲକ୍ଷ ପାର୍ ହୋଇଛି । ଏଥିରୁ 40 ପ୍ରତିଶତ ବଜ୍ରପାତ ବାଦଲରୁ ଭୂମିକୁ ହୋଇଛି । ଯାହାକି ପୂରା ଦେଶରେ ଗୁଜରାଟ ପରେ ସର୍ବାଧିକ ।
ଭୁବନେଶ୍ୱରରେ ବର୍ଷକୁ 77 ଦିନ ବଜ୍ରପାତ ହେଉଛି । ତଥ୍ୟ ଅନୁସାରେ ଯାହାକି ଦେଶର ଟପ୍-10 ସହର ମଧ୍ୟରେ ଆସୁଛି । ସେହିପରି ଝାରସୁଗୁଡ଼ାରେ ପ୍ରାୟ 70 ଦିନ, ଗୋପାଳପୁରରେ 52, କଟକରେ 29, ଟିଟିଲାଗଡ଼ରେ 27, ସମ୍ବଲପୁରରେ 17, ପୁରୀରେ 17, ବଲାଙ୍ଗୀରରେ 16, ବ୍ରହ୍ମପୁରରେ 15 ଓ କୋରାପୁଟରେ ସବୁଠୁ କମ୍ ପ୍ରାୟ 2 ଦିନ ବଜ୍ରପାତ ବପଦ ରହୁଛି । ମାସିକ ତଥ୍ୟ ଦେଖିଲେ ମେ , ଜୁନ , ଅଗଷ୍ଟ ଓ ସେପ୍ଟେମ୍ବରରେ ମୟୂରଭଞ୍ଜରେ ସର୍ବାଧିକ ବଜ୍ରପାତ ହୋଇଛି । ଭାରତୀୟ ପାଣିପାଗ ବିଭାଗ, ITM ପୁନେ ପକ୍ଷରୁ ଏ ତଥ୍ୟ ନିହାତି ଭାବରେ ଚିନ୍ତାଜନକ ।


