
ଭୁବନେଶ୍ଵର, ୧୩/୦୭/୨୧ (ଜିଲ୍ଲା ଖବର) : ମା’ ସିଏ । ୪ ଚାରିଟା ଛୁଆ ମରିଛନ୍ତି ତାର। ମନ ସମ୍ଭାଳିବ କୋଉଠି ଯେ, ଭୁଇଁରେ ଲୋଟିଥିବା ରକ୍ତାକ୍ତ ମୃତଦେହକୁ ସେ ଜିଭରେ ଚାଟି ଦେଉଛି। ଅଜ୍ଞାନୀ ପଶୁଟିଏ ବୋଲି ବୋଧହୁଏ ଭାବୁଛି ଜୀବନ ଫେରି ଆସିବ। ଅଫେରା ରାଇଜକୁ ଗଲେ କେହି କେବେ କ’ଣ ଫେରି ଆସେ।
ଭୋ ଭୋ…ମଣିଷ କାନ୍ଦେ।
ହେଲେ ଇଏ ଏଠି ଭୋ ଭୋ…ଭୁକିଦେଉଥିବା ଜନ୍ତୁଟିଏ।
ଲୋକେ କୁକୁର କୁହନ୍ତି। ପାଳନ୍ତି, ପୋଷନ୍ତି ହେଲେ ଦରକାର ନ ପଡିଲେ ଏଇ ପ୍ରଜାତିକୁ ଭାରି ଘୃଣା କରନ୍ତି। ଏ ଆମ ମଣିଷର ଚରିତ୍ର। ସେମିତି କେହି ଜଣେ ଚରିତ୍ରବାନ୍ (ଆଦୌ ନୁହେଁ) ମଣିଷ କୁକୁରଗୁଡାକୁ ଗାଡି ଚଢାଇ ମାରି ଦେଇଛି। ମା’ କୁକୁରଟା ଆଖିରେ ଦେଖିଛି ସିନା ଅଭିଯୋଗ କରିବାକୁ ତା ମୁହଁରେ ଭାଷା ନାହିଁ। କିନ୍ତୁ ମାତୃତ୍ବ ଇଶ୍ଵର ତାକୁ ଦେଇଛନ୍ତି। ସେଇପାଇଁ ସେ ଏ ଜାଗା ଛାଡି ଯାଉନି।
ଏ ଦୃଶ୍ୟ ଦେଖିଲେ, ଆପଣଙ୍କ ପାଟିରୁ ବି ଆହା ବୋଲି ବାହାରିପଡିବ। କିନ୍ତୁ ଜଣେ ମଣିଷ କେହି ଏମିତି କାଣ୍ଡ କରିଛି ବୋଲି ଭାବିଲେ ନିଜକୁ ମଣିଷ କହିବାକୁ ଲାଜ ମାଡିବ।
ଦୃଶ୍ୟ ହେଉଛି ରାଜଧାନୀ ସତ୍ୟ ବିହାର ଅଞ୍ଚଳର। ଜଣେ କାର ଚାଳକ ବ୍ୟକ୍ତି ଏ ୪ଟି କୁକୁରଙ୍କୁ ଏମିତି ଗାଡି ଚଢାଇ ମାରିଛନ୍ତି। ପୁଲିସ ପହଞ୍ଚିଛି। ଘଟଣାର ତଦନ୍ତ ଚାଲିଛି। ଆଗରୁ ବି ରାଜଧାନୀରେ ଏହିଭଳି ଚିତ୍ର ସାମ୍ନାକୁ ଆସିଛି।



