
୧୨/୦୭/୨୧ (ଜିଲ୍ଲା ଖବର) : ଗଜପତି ଦିବ୍ୟସିଂହ ଦେବ ମହାରାଜ । ଇଏ ସୂର୍ଯ୍ୟବଂଶୀ ରାଜା, ଗଜପତି କପିଳେନ୍ଦ୍ର ଦେବଙ୍କ ବଂଶଜ । ଯିଏ ଦିନେ ଅଧା ଭାରତରୁ କରାୟତ୍ତ କରି ଉତ୍କଳ ସୀମାରେ ମିଶାଇ ଦେଇଥିଲେ। ହେଲେ ଏତେ ଐଶ୍ବର୍ଯ୍ୟର ଅଧିପତି ହୋଇ ବି ସମଗ୍ର ରାଜ୍ୟକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବୋଲି ଘୋଷଣା କରି ନିଜକୁ ରାଉତ ପଣେ ସେବକଟିଏ କରିଦେଲେ। ଯାହାର ସ୍ମାରକୀ ଭାବେ ଛେରା ପହଁରା ପରମ୍ପରା ସାରା ଭାରତକୁ ଏକ ଅଭିନବ ଦାନ। ଗଣତନ୍ତ୍ରରେ ଜନତା ଶ୍ରେଷ୍ଠ ଆଉ ରାଜା ପ୍ରଜାପାଳକ ଏହା ହିଁ ଏହି ମହାନ୍ ସଂସ୍କୃତିର ଇସାରା ।
ରାଜା ହୋଇ ବି ଆମ ଗଜପତି ମହାପ୍ରଭୁଙ୍କ ପ୍ରଥମ ସେବକ । ସେଇଥିପାଇଁ ସୁବର୍ଣ୍ଣ ସୁମାର୍ଜନୀରେ ରଥ ଓଳାଇ ଦିଅନ୍ତି ଗଜପତି ଆଉ ହାତ ଯୋଡନ୍ତି କୋଟି ଜନତାଙ୍କ ଆଗରେ । ହେଲେ ଗଜପତି ପରମ୍ପରାରେ ମହାରାଜ ଜଗନ୍ନାଥ ମହାପ୍ରଭୁଙ୍କ ବ୍ୟତିତ ଆଉ କାହାରି ପାଖରେ ମଥାନତ କରି ନ ଥାନ୍ତି ।
ଉତ୍କଳର ଅଧିପତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଏ ଜାତିର ମହାନ ଦାୟାଦ ଶ୍ରୀ ଗଜପତି ମହାରାଜଙ୍କୁ ଆମର ଶ୍ରଦ୍ଧା ପୂର୍ବକ ପ୍ରଣାମ ।


