
୧୨/୦୭/୨୧ (ଜିଲ୍ଲା ଖବର) : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ଯାତ୍ରା। ଜଗନ୍ନାଥମୟ ହୋଇଛି ପୁରୀ ଶ୍ରୀକ୍ଷେତ୍ର। କିନ୍ତୁ ବିନା ଭକ୍ତରେ ଖାଁ ଖାଁ ପୁରୀ। ସେପଟେ ମହାମାରୀ କରୋନା ସଂକ୍ରମଣ ଆଜି ସବୁ କ୍ଷେତ୍ରରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଗତ ଦୁଇବର୍ଷ ହେବ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ରାଜ୍ୟବାସୀଙ୍କ ନିକଟରୁ ଛଡାଇ ନେଇଛି । ଗତବର୍ଷ ଟ୍ୱିନସିଟିରେ ବିନା ଭକ୍ତରେ ରଥଯାତ୍ରା ସମାପନ ହୋଇଥିବା ବେଳେ ଏଥର ମଧ୍ୟ ବିଧିପୂର୍ବକ ମହାପ୍ରଭୁଙ୍କ ରଥଯାତ୍ରା ସମାପନ ହେବ । ରାଜଧାନୀର ଇସ୍କନ ମନ୍ଦିରରେ ସରକାର ଜାରି କରିଥିବା କରୋନା କଟକଣା ନିୟମ ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଆୟୋଜିତ ହେବ ବୋଲି ଇସ୍କନ ମନ୍ଦିର ରାଜ୍ୟ ପ୍ରଚାର ଅଧିକାରୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୩୨ ତମ ରଥଯାତ୍ରା ଆୟୋଜିତ ହେବାକୁ ଥିବାବେଳେ କରୋନା ସଂକ୍ରମଣ ପାଇଁ ଏଠାରେ ଏକ ଅସ୍ଥାୟୀ ରଥ ନିର୍ମାଣ ହୋଇଛି । ଏଥିସହ ମନ୍ଦିର ପରିସରରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇଛି । ବରିଷ୍ଠ ସେବାୟତ ଛେରାପହରା କରିବା ପରେ କଟକଣା ଅନୁଯାୟୀ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯିବ ବୋଲି ସୂଚନା ରହିଛି ।


