
କେନ୍ଦୁଝର, ୧୧/୦୭/୨୧ (ଜିଲ୍ଲା ଖବର) : ରାତିରେ ଲାଇଭ ଭିଡିଓ ଓ ଦିନରେ ଘର ଭିତରୁ ମୃତଦେହ ଉଦ୍ଧାର। ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଅଞ୍ଚଳରେ।
କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ବ୍ଲକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ପପୁ ସାହାଣୀ କାର୍ଯ୍ୟରତ ଥିଲେ । ପପୁଙ୍କ ଘର ଆନନ୍ଦପୁର ପୌରପରିଷଦ ୭ ନମ୍ବର ୱାର୍ଡରେ। ସେ ଅନେକ ସମୟରେ ନିଶାସକ୍ତ ରହୁଥିବା ବେଳେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିଲେ। ନିଜ ମାଙ୍କୁ ସେ ଘରୁ ତଡି ଦେବା ପରେ ମା ଯାଇ ମାଉସୀ ଘରେ ଆଶ୍ରୟ ନେଇଥିଲେ।
ଗତ ୯ ତାରିଖ ରାତିରେ ପପୁ ଫେସବୁକରେ ଲାଇଭ ଆସିବା ସହିତ ନିଜ ହାତକୁ କାଟି ଦେଇଥିଲେ । ଗତକାଲି ୧୦ ଟା ପରେ ତାଙ୍କ ରୁମ ଭିତର ପଟୁ ଲକ ଥିବା ବେଳେ ସାଙ୍ଗ ଜଣେ ଆସି ଡୋର ବାଡେଇଥିଲେ । କୌଣସି ଉତ୍ତର ନପାଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଡାକିବା ପରେ ପୋଲିସକୁ ଖବର ଦିଆ ଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହିତ ଅତିରିକ୍ତ ତହସିଲଦାର ମଧ୍ୟ ପହଞ୍ଚିଥିଲେ।
ସମସ୍ତଙ୍କ ଉପସ୍ଥିତିରେ ପପୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କେହି କେହି ଏହା ପ୍ରେମ ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ଚର୍ଚ୍ଚା କରୁଥିବା ବେଳେ ପୋଲିସର ତଦନ୍ତ ପରେ ସତ ସମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି।



