
୧୦/୦୭/୨୧ (ଜିଲ୍ଲା ଖବର) : ଜୀବନ ୪ ଭାଗରେ ଭଙ୍ଗା ହୋଇଛି। ଶୈଶବ, କୈଶୋର, ଯୌବନ ଆଉ ବାର୍ଦ୍ଧକ୍ୟ। ଶୈଶବ ଚପଲାମୀର ସମୟ, କୈଶୋର ଶିଖିବାର ଆଉ ବାର୍ଦ୍ଧକ୍ୟ ଦୀପ ଲିଭି ଆସୁଥିବା ବେଳର କ୍ଷୀଣ ସମୟ। କିନ୍ତୁ ଯୌବନ ଜୀବନକୁ ନୂଆ ଦିଗ ଦିଏ। ବହୁତ କିଛି ନୂଆ ସମ୍ଭାବନାର ସମ୍ଭର ନେଇ ଆସିଥାଏ । କୈଶୋର, ଶୈଶବ ଆଉ ବାଦ୍ଦର୍କ୍ୟକୁ ବାନ୍ଧି ରଖିବାର ଶକ୍ତି ରଖେ।ସେଇଥିପାଇଁ ତ ମଣିଷ ବୁଢା ହେବାକୁ ଚାହେଁନା। ଆମ ମହାପ୍ରଭୁ ଜଗନ୍ନାଥ ଯୌବନକୁ ହିଁ ପ୍ରତିନିଧିତ୍ବ କରନ୍ତି। କାରଣ ସେ କାଳର ଏହି ୪ ବିଭକ୍ତିକୁ ଧାରଣ କରିଛନ୍ତି ଯୌବନର ଅଧିପତି ଦେବତା ଭାବେ।
ସବୁ ସମୟର ସନ୍ଧିକ୍ଷଣକୁ ବାନ୍ଧି ରଖିବାର କର୍ଯ୍ୟ କରନ୍ତି ଜଗନ୍ନାଥ ମହାପ୍ରଭୁ। ତେଣୁ ସବୁ ମାନବୀୟ ଲୀଳା ଭିତରେ ତାଙ୍କର ଯୌବନ ସୁଲଭ ଳୀଳାଟିଏ ହେଉଛି, ନବଯୌବନ ଦର୍ଶନ।
ବାଲ୍ୟ ସମୟରେ ମଣିଷ ଶିଶୁଟିଏ ଶୋଇ ଶୋଇ ନିଜର ଧିଶକ୍ତି ବଢାଇବା ଭଳି ମହାପ୍ରଭୁ ୧୫ ଦିନ ଅଣସରର ପ୍ରଥମ କେତେଦିନ ଶୋଇ ରହୁନ୍ତି। ତା ପରେ ଫୁଲୁରି ତେଲ ଲଗାଇ ଉଠି ବସନ୍ତି। ତାଙ୍କୁ ଛୁଏଁ କୈଶୋର ଆଉ ଉଭା ଅମାବାସ୍ୟାରେ ଯୌବନ। ପିଲାଟିଏ ଭଳି ପାଣି, ପଣା ଖାଉଥିବା ଦିଅଁ ଆମର ଚକ୍ଷୁସ୍ମାନ ହୋଇ ଯୌବନ ପ୍ରାପ୍ତ କରନ୍ତି ଆଉ ଆରମ୍ଭ ହୁଏ ରାଜଭୋଗ ନୀତି। ବିପୁଳ ପରିମାରଣ ପ୍ରସାଦ ସେବନ କରନ୍ତି ବଡ଼ ବାଡ ମଣିମା।
ଏ ବର୍ଷ ୩ ଦିନ ନବ ଯୌବନ ଦର୍ଶନ। ଭକ୍ତମାନେ ତାଙ୍କୁ ଦର୍ଶନ କରିବାର ଅବକାଶ ନାହିଁ। କିନ୍ତୁ ଯୌବନ ବିଳାସି ମହାପ୍ରଭୁଙ୍କଠାରୁ ଆମକୁ ବି ବହୁତ କିଛି ଶିଖିବାର ଅଛି। ମଣିଷ ଭିତରେ ଯୌବନ ରହିଥାଉ, ସେ ସମାଜକୁ ପ୍ରବହମାନ ବେଗରେ ଆଗକୁ ନେଇଯାଉ। ଏ ଶରୀର ଦିନେ ସରିଯିବ କିନ୍ତୁ ଯୌବନର ଉତ୍କୃଷ୍ଟ ସମୟରେ ମଣିଷ କରିଥିବା ଭଲକାମ କାଳ କାଳକୁ କାଳଜୟୀ ହୋଇ ରହିଯିବ।
ନବଯୌବନ ଦର୍ଶନ ନୀତି:
ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ନବଯୌବନ ବେଶ ଅନୁଷ୍ଠିତ ହୁଏ। ସ୍ନାନ ପୂର୍ଣ୍ଣିମା ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ ।
ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନରେ ରହି ନ ଥାନ୍ତି। ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଚକ୍ଷୁଭାଗ ବା ଶଙ୍ଖଭୂମୀର ଭିତର ଅଂଶ କୃଷ୍ଣରଙ୍ଗରେ ରଙ୍ଗାୟିତ ହୋଇଥାଏ। ଯାହା ପରେ ବନକ ଲାଗି ନୀତି ବା ରଙ୍ଗ ହେବା ନୀତି ସମ୍ପନ୍ନ ହୁଏ।
ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖି ଏହି ସମୟରେ ହିଁ ବନକଲାଗି ହୋଇଥାନ୍ତି।


