Monday, November 16, 2026
Home ଆଞ୍ଚଳିକ ମନରେଗା ମହାଦୁର୍ନୀତି, ଅରଖପୁର ପଞ୍ଚାୟତର ମହୁଲପଲ୍ଲୀ ଗାଁରୁ ଆସିଲା ସଙ୍ଗୀନ ଅଭିଯୋଗ

ମନରେଗା ମହାଦୁର୍ନୀତି, ଅରଖପୁର ପଞ୍ଚାୟତର ମହୁଲପଲ୍ଲୀ ଗାଁରୁ ଆସିଲା ସଙ୍ଗୀନ ଅଭିଯୋଗ

13

ଗଞ୍ଜାମ,୧୦/୦୭/୨୧ (ଜିଲ୍ଲା ଖବର) :  ଗଞ୍ଜାମ ବୁଗୁଡ଼ାରେ ମନରେଗା ମହାଦୁର୍ନୀତି । ଅରଖପୁର ପଞ୍ଚାୟତର ମହୁଲପଲ୍ଲୀ ଗାଁରୁ ଆସିଲା ସଙ୍ଗୀନ ଅଭିଯୋଗ । ଫଳକରେ କାମର ନାଁ ଲେଖାହୋଇଛି ଷଣ୍ଢଚୁଳିଆ ହିଲ୍ । 2020-21ରେ 5 ଲକ୍ଷ 45 ହଜାର 952 ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । କିନ୍ତୁ 2 ଲକ୍ଷ 93 ହଜାର 90 ଟଙ୍କା ବିଲ ହୋଇଛି ।

ଏଥିରେ ଟ୍ରେଞ୍ଚବଣ୍ଡ ବା ଛୋଟ ଗାଡ଼ିଆ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଠି ଗୋଟିଏ ଗାତଟିଏ ବି ଦେଖାଯାଉନି । ବଡ଼କଥା ହେଉଛି ଫଳକରେ ଅଟକଳ ମୂଲ୍ୟ ଲେଖାହୋଇଛି । 

କେତେଜଣ କୁଶଳୀ ଓ କେତେ ଜଣ ଅଣକୁଶଳୀ ଶ୍ରମିକ ରହିଛନ୍ତି ସେ କଥା ବି ଲେଖାଯାଇନି । ସେପଟେ ସରକାରୀ  ୱେବସାଇଟରୁ ମିଳିଥିବା ଦସ୍ତାବିଜ କହୁଛି 16 ଏପ୍ରିଲ 2021ରୁ ଆରମ୍ଭ ହୋଇ 7 ଜୁଲାଇ 2021  ପର୍ଯ୍ୟନ୍ତ ହୋଇଛି । ଆଉ ସେହି ଟଙ୍କା  57 ଜଣ ଶ୍ରମିକଙ୍କୁ ମଧ୍ୟ ଦିଆଯାଇଛି । 57 ଜଣ ଶ୍ରମିକଙ୍କ 350 ଥର ଟଙ୍କା ଉଠାଣ ମଧ୍ୟ ହୋଇଛି । କିନ୍ତୁ ଗ୍ରାଉଣ୍ଡରେ ଗାତଟିଏ ବି ଖୋଳାଯାଇନି ।

ଯାହା ସ୍ପଷ୍ଟ କରୁଛି, ନାମଫଳକ ଲଗାଇ ଶ୍ରମିକଙ୍କ ନାଁରେ ଟଙ୍କା ଚଳୁ ହୋଇଛି । ଏପରିକି ଦସ୍ତାବିଜରେ ଭୂତ ଶ୍ରିମକଙ୍କ ନାଁରେ ଟଙ୍କା କଟାଯାଇଛି । ଗାଁର ରଞ୍ଜନ କୁମାର ପାତ୍ରଙ୍କର 2019 ଡିସେମ୍ବର 21 ରୁ ମୃତ୍ୟୁ ହୋଇଛି ।  କିନ୍ତୁ ସେ କାମ କରିଛନ୍ତି 2021 ମସିହାରେ । ଆଉ ତାଙ୍କ ନାଁରେ 4 ଥରରେ ଉଠିଛି 4 ହଜାର 480 ଟଙ୍କା । ଘଟଣାକୁ ନେଇ ବିଜେପିର ସ୍ୱତନ୍ତ୍ର ଟିମ ଗ୍ରାଉଣ୍ଡ ଜ଼ିରୋର ସ୍ଥିତି ପଦାକୁ ଆଣିବା ସହ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆଣିଛି ।