
ନୂଆଦିଲ୍ଲୀ, ୧୦/୦୭/୨୧ (ଜିଲ୍ଲା ଖବର) : ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ମତ। କେବଳ ମତ ନୁହେଁ ଏନେଇ ଆବଶ୍ୟକୀୟ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁକ୍ରବାର ତଲାକ ସମ୍ପର୍କିତ ଏକ ମାମଲାର ଶୁଣାଣୀ କରି ହାଇକୋର୍ଟର ବିଚାରପତି ପ୍ରତିଭା ଏମ୍. ସିଂହ ଏଭଳି ପରାମର୍ଶ ଦେଇଛନ୍ତି।
ଦେଶ ଏବେ ଧର୍ମ, ଜାତି, ସମ୍ପ୍ରଦାୟରୁ ଉର୍ଦ୍ଧକୁ ଉଠି ପ୍ରଗତି ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ସମାଜରେ ଥିବା ପୂରାତନ ପାରମ୍ପରିକ ଜଟିଳତାକୁ ହଠାଇବାର ବେଳ ଆସିଛି। ଏହି ପୂରାତନ ପରମ୍ପରା ଅନୁଯାୟୀ ବିବାହ ଏବଂ ଛାଡ଼ପତ୍ରକୁ ନେଇ କୌଣସି ବିବାଦ ସୃଷ୍ଟି ହେଲେ ଦେଶର ନାଗରିକମାନେ ବିଶେଷ କରି ଯୁବପିଢ଼ି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏସବୁ ସମସ୍ୟାକୁ ସମାଜକୁ ହଟାଇବାକୁ ହେଲେ ସମାନ ନାଗରିକ ସଂହିତା ଲାଗୁ ଅନିବାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ନିଜର ମତ ପ୍ରକାଶ କରିଛନ୍ତି ।
ଦେଶରେ ସମାନ ନାଗରିକ ସଂହିତା ପ୍ରଚଳିତ ହେଲେ ସମସ୍ତ ପ୍ରକାର ପର୍ସନାଲ ଲ ଲୋପ ପାଇବ ଏବଂ ଧର୍ମମତ ନିର୍ବିଶେଷରେ ସମସ୍ତେ ସମାନ ଅଧିକାର ପାଇବେ। ଏ ପ୍ରକାର ଆଇନକୁ ଦେଶର ସଂଖ୍ୟାଧିକ ଲୋକ ସମର୍ଥନ କରୁଥିବା ବେଳେ ଅନେକ ବର୍ଷ ଧରି ଏଥିପାଇଁ ରାଜନୀତି ମଧ୍ୟ ହୋଇ ଆସୁଛି । ଏବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସମାନ ନାଗରିକ ସଂହିତା ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।


