
୧୦/୦୭/୨୧ (ଜିଲ୍ଲା ଖବର) : ବାରିପଦାରେ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ହେଉଥିବା ଅବହେଳାର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପିଏମଆର ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ବାରିପଦା ନିକଟ ବାଙ୍କିସୋଲଠାରେ ଥିବା କୋଭିଡ ହସ୍ପିଟାଲରେ ଗତ ମେ ମାସରେ କିଛି ରୋଗୀଙ୍କୁ ଅବହେଳା କରାଯାଇଥିବାର ଦୃଶ୍ୟ ସାମନାକୁ ଆସିଥିଲା । କିଛି ରୋଗୀ ଚଟାଣରେ ପଡିଥିବାର ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଫାଇଲ କରିଥିଲେ । କମିଶନ ଏହି ପିଟିସନର ବିଚାର କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।



