ଖୋର୍ଦ୍ଧା,୯/୦୭(ଜିଲ୍ଲା ଖବର) : ଖୋର୍ଦ୍ଧା ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୁକୁନ୍ଦପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ୩୬ କେଜି ୫୦୦ ଗ୍ରାମର ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ଦୁଇଲକ୍ଷ ବୋଲି ଜଣାପଡିଛି । ସେହିପରି ଚଢ଼ଉ ବେଳେ OR 02 AD 8833 ନମ୍ବର ବିଶିଷ୍ଟ ଗୋଟିଏ FORD IKON କାର ଏବଂ ଦୁଇଗୋଟି ମୋବାଇଲ ଫୋନ ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି । ଘଟଣାରେ ଜଡ଼ିତ ଦୁଇଜଣ ଯୁବକ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋଇଡା ଗ୍ରାମର ପିତାମ୍ବର ଦିଗଲଙ୍କ ପୁତ୍ର ଦିଲ୍ଲୀପ କୁମାର ଦିଗଲ(୨୫) ଏବଂ ତ୍ରାସେପଦର ଗ୍ରାମର ଜୋସେଫ ଦିଗଲଙ୍କ ପୁତ୍ର ମିଥୁନ ଦିଗଲ(୨୦) ବୋଲି ଜଣାପଡିଛି ।
ସୂଚନା ମୁତାବକ ଖୋର୍ଦ୍ଧା ଏସ୍.ପି ଶ୍ରୀ ରାଜକିଶୋର ଦୋରା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲାରୁ ଏକ ଗଞ୍ଜେଇ ବୋଝେଇ କାର ଭୁବନେଶ୍ୱର ଅଭିମୁଖେ ଆସୁଥିବାର ଜାଣିବାକୁ ପାଇଥିଲେ ଏବଂ ତାଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଏସ୍.ଡି.ପି.ଓ ଓ ଟାଉନ ଥାନା ଆଇ.ଆଇ.ସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ମୁକୁନ୍ଦପ୍ରସାଦ ସ୍ଥିତ ପ୍ରଫୁଲ୍ଲ ପାଲେସ ନିକଟରେ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ଠାବ କରି ଜବତ କରିଥିଲେ ଏବଂ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଟାଉନ ଥାନା କେସ ନମ୍ବର ୨୬୪/୨୧ ରେ NDPS ଆକ୍ଟରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।






