ଭୀମ୍‌ସାରରେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ

6

ଝାରସୁଗୁଡା, ୦୯/୦୭/୨୧ (ଜିଲ୍ଲା ଖବର) :   ଭୀମ୍‌ସାରରେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ । ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ । ବୁର୍ଲା ଭୀମସାରରେ କରୋନା ଦ୍ବିତୀୟ ଲହର ସମୟରେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଥିଲା ।

ଅନେକ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ଔଷଧ ବାହାରୁ ଆଣିବାକୁ ରୋଗୀଙ୍କୁ କୁହାଯାଉଥିବା ଅଭିଯୋଗ ଆସିଥିଲା। ଏହି ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ତିନି ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ କରିଥିଲା । ମେ ୨୬ରେ କମିଟି ଏହାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା ।  ଏହାର କପି ଆବେଦନକାରୀଙ୍କୁ ପ୍ରଦାନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଟି ରିପୋର୍ଟରେ ଥିବା ତଥ୍ୟ ଠିକ୍ ନଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ।

ତେବେ ତଦନ୍ତରେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ହେଲେ ବରଗଡର ଜ୍ଞାନଦତ୍ତ ଚୌହାନ । ତେବେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫କୁ ଧାର୍ଯ୍ୟ କରାଯାଇଛି ।