
ଜଟଣୀ,୯/୦୭(ଜିଲ୍ଲା ଖବର) : ଜି ଓଡିଶା ମିଡିଆ ଦ୍ୱାରା ଶିକ୍ଷା ଉତ୍କର୍ଷ ପୁରସ୍କାର ଚଳିତବର୍ଷ ଆୟୋଜିତ ହୋଇଯାଇଛି । ଚଳିତ ଶିକ୍ଷାବର୍ଷର ଶିକ୍ଷା ଉତ୍କର୍ଷରେ ସେଚୁଂରିଆନ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଛି । ମହାମାରୀ କୋଭିଡ-୧୯ ବିପତି ସମୟରେ ଶିକ୍ଷାର ଉନ୍ନତିରେ ସଫଳତା ହାସଲ କରିଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସେଚୁଂରିଆନ ବିଶ୍ୱବିଦ୍ୟାଳୟ ଓ ଟେକ୍ନୋଲୋଜି ମ୍ୟାନେଜମେଂଟ ସମ୍ବର୍ଦ୍ଧିତ ହୋଇଥିଲା । ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଉକ୍ତ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କୁ ଦକ୍ଷତା ଶିକ୍ଷା ଯୋଗାଇଦେବାରେ ସର୍ବଦା ଚେଷ୍ଟା କରିଛି । କୋଭିଡ ମହାମାରୀ ସମୟରେ ଏହି ବିଶ୍ୱବିଦ୍ୟାଳୟ ଅନେକ ସହଜ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିଛି । ଯାହା ମାଧ୍ୟମରେ ବିଦ୍ୟାର୍ଥୀମାନେ ଅନଲାଇନ ଏବଂ ଭର୍ଚୁଆଲ ପ୍ଲାଟଫର୍ମକୁ ଗ୍ରହଣ କରି ତାଲିମ ଦେଇପାରିବେ । ସେଚୁଂରିଆନ ବିଶ୍ୱବିଦ୍ୟାଳୟର ପାରାମେଡିକ ଛାତ୍ରମାନଙ୍କୁ ଅନଲାଇନ ତାଲିମ ଏବଂ ବ୍ୟବହାରିକ ଏକ୍ସପୋଜର ପାଇଁ ବିଭିନ୍ନ ଡାକ୍ତରଖାନା ସହିତ ସଂଯୁକ୍ତ କରିଛି । ଅନ୍ୟପଟେ ମହାମାରୀ କୋଭିଡ ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟର ଉଲେଖନୀୟ କାର୍ଯ୍ୟପାଇଁ ଶିକ୍ଷାବିତ ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ପ୍ରଶଂସା କରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।


