
ନୂଆଦିଲ୍ଲୀ,୦୬/୦୭/୨୧ (ଜିଲ୍ଲା ଖବର) : ମଧ୍ୟପ୍ରଦେଶରେ ଜଣେ ଯୁବକ 120 ଟଙ୍କା ପାଇଁ ନେଲା ମାମୁଁର ଜୀବନ। ଏହି ହୃଦୟ ବିଦାରକ ଘଟଣା ଘଟିଛି ଗ୍ୱାଲିଅରରେ। ମାମୁଁ ଏବଂ ଭଣଜା ମଧ୍ୟରେ ଦେବାନେବାକୁ ନେଇ ବିବାଦ ହିଂସା ଆଡକୁ ଯାଇଥିଲା। ଭଣଜା ଏହି ଝଗଡାରେ ଅତ୍ୟଧିକ ରାଗି ଯାଇ ଛୁରୀରେ ଆକ୍ରମଣ କରି ମାମୁଁକୁ ହତ୍ୟା କରିଥିଲା। କେବଳ ୧୨୦ ଟଙ୍କା ପାଇଁ ମାମୁଁର ଜୀବନ ନେଲା ଭଣଜା।
ସୂଚନାମୁତାବକ, ବିଳମ୍ବିତ ରାତିରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ତେବେ ମାଛ ଭଜା ପାଇଁ ଦେୟ ନଦେବା ନେଇ ମାମୁ ଭଣଜା ଉଭୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା। ଖୁବ୍ ଶୀଘ୍ର ବିବାଦ ଏତେ ବଢିଗଲା ଯେ ଭଣଜା ତା ମାମୁଁକୁ ଏକ ଫାର୍ସା ଓ ଛୁରୀରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଆହତ ମାମୁଁ କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତ ପୋଲିସ ହେପାଜତରେ ନାହିଁ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତାକୁ ଖୋଜିବା ଆରମ୍ଭ କରିଛି।



