
୦୬/୦୭/୨୧ (ଜିଲ୍ଲା ଖବର) : ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଉ ପାକିସ୍ତାନ। କଥାଟା ଆପଣଙ୍କ ମନକୁ ପାଉ ନ ଥିବ। କାରଣ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କ ଗୋଟିଏ ଆତଙ୍କବାଦ ଭିଆଉଥିବା ରାଷ୍ଟ୍ର ସହ କେମିତି ରହିବ ? ଏଇଆ ଭାବୁଥିବେ ଆପଣ । କିନ୍ତୁ ଏ କଥା ସତ ସେ ‘ଜଗନ୍ନାଥ’। ତାଙ୍କର ଭକ୍ତ ସବୁଠି ଥିଲେ, ଅଛନ୍ତି ଆଉ ରହିଥିବେ।
ଆଜି ଜଗନ୍ନାଥ ଜଣା ଅଜଣା ସ୍ତମ୍ଭରେ ଜାଣିବା ଜଣେ ପାକିସ୍ତାନି ସନ୍ଥଙ୍କ ସମ୍ପର୍କରେ। ଯାହାଙ୍କ ମଠ ଆଜି ବି ଶ୍ରୀକ୍ଷେତ୍ରରେ ଅଛି ଆଉ ମଣିମାନଙ୍କ ସେବା କରୁଛି।
ଆସନ୍ତୁ ଜାଣିବା ସେହି ସନ୍ଥଙ୍କ ସମ୍ପର୍କରେ:
ଲାହୋରର ପଶ୍ଚିମ ପ୍ରାନ୍ତରେ ଜନ୍ମ ଗ୍ରହଣ କରିଥିବା ଏହି ସନ୍ଥଙ୍କ ନାମ ହେଉଛି ବାଳକ ରାମ ଦାସ। ସେ ଜନ୍ମରୁ ସଂସାର ବିରାଗି ଥିଲେ। ଏଣୁ ବଡ଼ ହଟଯୋଗୀ ଆଉ ପରିବ୍ରାଜକ ସନ୍ଥ ଥିଲେ ବାଲକରାମ୍ । ତାଙ୍କ ଗୁରୁ ଏହା କହିଦେଇ ଯାଇଥିଲେ ଯେ, ଶ୍ରୀକ୍ଷେତ୍ରରେ ବ୍ରହ୍ମ ଦର୍ଶନ ମିଳିବ। ପାରିବୁ ଯଦି ସେଇଠିକୁ ଯିବୁ।
କଥାକୁ ଢେର ଦିନ ବିତିଲା ସନ୍ଥ କୀର୍ତ୍ତନ କରି କରି ପାକିସ୍ତାନରୁ ଦିଲ୍ଲୀ ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥାନ୍ତି। ହେଲେ ଦିଲ୍ଲୀ ସଲତନତର ସୁଲତାନ ତାଙ୍କୁ କୀର୍ତ୍ତନ କରି ରାଜଧାନୀ ବାଟରେ ଯିବାକୁ ବାରଣ କଲେ। ସନ୍ଥ ବାଳକ ରାମ ଦାସ ରାଗିଗଲେ। କହିଲେ ମୁଁ ଦିଲ୍ଲୀକୁ ଭସେଇ ଦେବି।
କଥା ସୁଲତାନଙ୍କ ପାଖରେ ପହଞ୍ଚିବା ପରେ ସୁଲତାନ ହସିଲେ। ଦିଲ୍ଲୀକୁ ଭସାଇଦେବା ଏଡେ ସହଜ ନୁହେଁ ବୋଲି କହିଲେ। ସନ୍ଥ ନିଜକୁ ଅବଜ୍ଞା କରାଯାଉଥିବା ଜାଣି ରାଗିଗଲେ ଆଉ ପ୍ରମାଣ ଦେବାକୁ ଯାଇ ନିଜ ଲେଙ୍ଗୁଟି ସ୍ପର୍ଶ କରି କହିଲେ, ଦିଲ୍ଲୀ ଭାସିଯାଉ। ଏହା କହିବା ପରେ ଦିଲ୍ଲୀ ସହର ଜଳାର୍ଣ୍ଣବ ହେବାକୁ ଲାଗିଲା। ବର୍ଷା ନାହିଁ କି ବଢି ପାଣି ନୁହେଁ। ଭୁଇଁରେ କିନ୍ତୁ ପାଣି ଉବୁଟୁବୁ।
ସୁଲତାନ ଭୟଭିତ ହୋଇ ସନ୍ଥଙ୍କ ଶରଣାପନ୍ନ ହେଲେ। ଆଉ ବିପୁଳ ଧନରତ୍ନ ଦେଇ ଶ୍ରୀକ୍ଷେତ୍ର ପଠାଇଲେ। ପୁରୀରେ ପାଦ ଦେଉ ଦେଉ ବାଳକ ରାମଦାସ, ବାଳକଟିଏ ପରି ମହାପ୍ରଭୁଙ୍କ ପ୍ରେମରେ ପଡିଲେ। ମନରେ କ୍ରୋଧ କି କେୌଣସି ବିକାର ଆଉ ରହିଲା ନାହିଁ। ଏହିଠାରେ ହିଁ ତାଙ୍କୁ ପରମ ଶାନ୍ତି ମିଳିଲା ଭାବି ସେ ଗଜପତିଙ୍କୁ ଭେଟିଲେ, ଆଉ ଶ୍ରୀକ୍ଷେତ୍ରରେ ରହିବାର ଇଚ୍ଛା ପ୍ରକଟ କଲେ। ଯାହା ଶୁଣି ଗଜପତି ଶରଧାବାଲିର ହାତୀଶାଳରେ ଜାଗା ଖଣ୍ଡିଏ ଦେଲେ। ଯେଉଁଠି ସନ୍ଥ ରହିଲେ। ଜଗନ୍ନାଥ ଦାରୁ ବିଗ୍ରହଙ୍କ ସମ୍ମୁଖରେ ଶିବଲିଙ୍ଗ ସ୍ଥାପନ କରି ପୂଜା ପୂର୍ବକ ଜୀବନ ବିତାଇ ଦେଲେ।
ସେ ଯେଉଁ ସ୍ଥାନରେ ରହିଲେ ତାହା ଏବେ ବି ଶ୍ରୀକ୍ଷେତ୍ରରେ ରହିଛି। ଗୁଣ୍ଡିଚା ମନ୍ଦିର ପଛପଟେ ଥିବା ଏହି ମଠକୁ ଦିଲ୍ଲୀ ବାଲକ ରାମଦାସ ମଠ ଭାବେ ପରିଚୟ ମିଳିଛି। ଶ୍ରୀକ୍ଷେତ୍ରରେ ହରିହର ଉପାସନାର ଏହା ଏକ ପ୍ରସିଦ୍ଧ ମଠ ବୋଲି କୁହନ୍ତି ଗବେଷକ ଡା ସୁରେନ୍ଦ୍ର ମିଶ୍ର।
ଶ୍ରୀକ୍ଷେତ୍ରରେ ଥିବା ପ୍ରାୟ ୨୭୪ ମଠରେ ଏହା ଏକମାତ୍ର ପାକିସ୍ତାନୀ ସନ୍ଥଙ୍କ ମଠ । ୧୨ ଏକର ୨୦ ଡିସିମିଲି ପରିମିତ ସ୍ଥାନରେ ଠିଆ ହୋଇଛି ମଠ। ଏହି ମଠ ୫୨ ବର୍ଷ ହେବ ଶ୍ରୀମନ୍ଦିର ପ୍ରାଶସନ ତତ୍ତ୍ୱାବଧାନରେ ରହିଛି। ଏବେ ଏହାର ଅନ୍ୟ ସମସ୍ତ ଅଞ୍ଚଳ ବିଲୁପ୍ତ ପ୍ରାୟ ରହିଥିବା ବେଳେ କେବଳ ଏକ ହରିହର ମନ୍ଦିର ଦୃଶ୍ୟମାନ ହେଉଛି। ଯାହାକୁ ଆପଣ ଦେଖିପାରିବେ।



