Monday, October 12, 2026
Home ଅପରାଧ ମା’ଙ୍କ ବୟାନ ଖୋଲିବ କି ହତ୍ୟାର ରହସ୍ୟ ?

ମା’ଙ୍କ ବୟାନ ଖୋଲିବ କି ହତ୍ୟାର ରହସ୍ୟ ?

11

ଭୁବନେଶ୍ୱର,୦୬/୦୭/୨୧ (ଜିଲ୍ଲା ଖବର) : ଗତକାଲି ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମହିଳାଙ୍କ ନାଁ ପ୍ରିୟଙ୍କା ବୋଲି ଜଣାପଡ଼ିଥିଲା। ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଯୁବକଙ୍କ ନାଁ ଜଗନ୍ନାଥ। ଉଭୟ ପ୍ରିୟଙ୍କା ଓ ଜଗନ୍ନାଥ ଯାଜପୁର ଅଞ୍ଚଳର। ପ୍ରିୟଙ୍କାଙ୍କ ୩ ବର୍ଷର ଶିଶୁପୁତ୍ର ଅଛି। ପ୍ରିୟଙ୍କାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଜଗନ୍ନାଥ। ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଆଜି ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି, ମୃତ ମହିଳା ପ୍ରିୟଙ୍କାଙ୍କ ସହ ମୋ ପୁଅ ଜଗନ୍ନାଥଙ୍କର ସମ୍ପର୍କ ଥିଲା। ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ତେବେ ପ୍ରିୟଙ୍କା ଅନ୍ୟତ୍ର ବିବାହ କରିବା ପରେ ମୋ ପୁଅ ତା’ର କିଛି ବି ଅସୁବିଧା କରି ନାହିଁ। ପ୍ରିୟଙ୍କାର ପୁଅ ହେବା ପରେ ସେ ଝିଅ ପୁଣିଥରେ ମୋ ପୁଅକୁ ଫୋନ୍ କରିଥିଲା। ତା’ପୂର୍ବରୁ ମୋ ପୁଅ କେବେବି ତାକୁ ଫୋନ୍ କରିନଥିଲା।

ସାବିତ୍ରୀ ଆହୁରି କହିଛନ୍ତି, ପୁଅ ଘରେ ଏବିଷୟରେ କାହାକୁ କିଛିବି କହିନଥିଲା। ସକାଳୁ ଉଠି ଗାଧୁଆ ସାରି ମାର୍କେଟ୍ ଯିବି ବୋଲି କହିଥିଲା। ତା’ପରେ ସେ କୁଆଡ଼େ ଯାଇଥିଲା, ଏସମ୍ପର୍କରେ ଆମେ କିଛିବି ଜାଣି ନଥିଲୁ। ମୁଁ ଯଦି ଏସବୁ କଥା ଜାଣି ଥାନ୍ତି, ତା’ହେଲେ କେବେବି ବି ମୋ ପୁଅକୁ ଏଭଳି ଅପରାଧ କରିବାକୁ ଦେଇ ନଥାନ୍ତି ବୋଲି କାନ୍ଦି କାନ୍ଦି ସାବିତ୍ରୀ କହିଛନ୍ତି।

ସୂଚନାନୁସାରେ, ପ୍ରିୟଙ୍କାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଜଗନ୍ନାଥ। ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ସେ ନିଜ ହାତ କାଟି, ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୋଲିସ୍ କହିଥିଲା। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କାଙ୍କ ୩ ବର୍ଷର ଶିଶୁପୁତ୍ରକୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିଲା ଜଗନ୍ନାଥ। ହେଲେ ପଡ଼ୋଶୀଙ୍କ ଘରେ ଥିବାରୁ ଫେଲ୍ ମାରିଥିଲା ଯୋଜନା। କମିଶନରେଟ ପୋଲିସ ହତ୍ୟାକାଣ୍ଡ ମାମଲାର ତଦନ୍ତ ଜାରି ରଖିଛି।