
ନୟାଗଡ, ୦୬/୦୭/୨୧ (ଜିଲ୍ଲା ଖବର) : ୧୪ ଦିନ ଧରି ଗଣଧାରଣାରେ ବସିବା ପରେ ମଧ୍ୟ ମିଳିଲାନି ପ୍ରତିଶ୍ରୁତି । ଶେଷରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇଲେ ଉପଭୋକ୍ତା । ବିଦ୍ୟୁତ୍ ବିଭାଗର ଖାମଖିଆଲି ବେପରୁଆ ମନୋଭାବ ଯୋଗୁଁ ଖଣ୍ଡପଡ଼ା ଅଞ୍ଚଳରେ ଦିନକୁ ୮ ରୁ ୧୦ ଘଣ୍ଟା ବିଦ୍ୟୁତ୍ କାଟ ସମସ୍ୟା ଲାଗିରହିଛି ।
ପ୍ରତିବାଦରେ ଭାରତୀୟ ବିକାଶ ପରିଷଦ ତରଫରୁ ୪ ଦଫା ଦାବି ନେଇ ଖଣ୍ଡପଡ଼ା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଦିନ ହେଲା ଗଣଧାରଣା ଦିଆଯାଇଛି । ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗର କୌଣସି କର୍ତ୍ତୃପକ୍ଷ ଧାରଣାସ୍ଥଳରେ ଲିଖିତ ଭାବେ କୌଣସି ପ୍ରତିଶୃତି ନଦେବାରୁ ବାଧ୍ୟ ହୋଇ ଭାରତୀୟ ବିକାଶ ପରିଷଦ ତରଫରୁ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଯାଇଛି । ଖଣ୍ଡପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଛି ।



