
ଜଟଣୀ,୫/୦୭(ଜିଲ୍ଲା ଖବର) : ଜଟଣୀବ୍ଲକ ଅନ୍ତର୍ଗତ ଜାମୁକୋଳି ପଚାଂୟତର ମୁଣ୍ଡଳ ଗ୍ରାମର ୱାର୍ଡ ନଂ ୮ରେ ରହୁଥିବା ଅଧିବାସୀମାନଙ୍କ ପାଇଁ ଏକ ଶ୍ମଶାନ ଜମି ରହିଛି । ଏଥିରେ ପୁର୍ବପୁରୁଷରୁ ବଂଶାନୁକ୍ରମେ ଶବ ଦାହ ହୋଇଆସୁଛି । ମାତ୍ର ରାଜ୍ୟ ସରକାର ଗ୍ରାମାଚଂଳରେ ଶବଦାହ ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ ଶ୍ମଶାନ ଗୃହ ଓ ଏହାର ଉନ୍ନତିକରଣ କରୁଥିବା ନଜିର ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ଶ୍ମଶାନଗୃହଟିଏ ନିର୍ମାଣ ହୋଇପାରି ନାହିଁ । ଉକ୍ତ ଗ୍ରାମରେ ଶନିବାର ଅପରାହ୍ନରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ପୁର୍ବାହ୍ନରେ ଗ୍ରାମ୍ୟ ଶ୍ମଶାନକୁ ଶବଦାହ କରିବାକୁ ଯାଇଥିଲେ । ତେବେ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । ତେଣୁ ଶ୍ମଶାନଗୃହଟିଏ ନଥିବାରୁ ଗ୍ରାମବାସୀମାନେ ଶବଦାହଲାଗି ବର୍ଷାଛାଡିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ମାତ୍ର ବର୍ଷା ନଛାଡିବାରୁ ବାଧ୍ୟହୋଇ ଖୋଲାସ୍ଥାନରେ ଶବଦାହ କରିବାକୁ ନେଇଥିଲେ । ଦାହପାଇଁ ମୁଖାଗ୍ନି ଦେବାପରେ ବାରମ୍ବାର ବର୍ଷାରେ ତାହା ଲିଭିଯାଉଥାଏ । ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ପେଟ୍ରୋଲ ଢାଳି ଅଗ୍ନିସଂଯୋଗ କରି ଶବଦାହ କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶ୍ମଶାନ କିସମର ଜମି ରହିଥିବା ବେଳେ ଶ୍ମଶାନ କିନ୍ତୁ ନିର୍ମାଣ ହୋଇପାରି ନାହିଁ । ଏଥି ସହିତ ଉକ୍ତ ଶ୍ମଶାନ ଜମିକୁ ମଧ୍ୟ ବର୍ତମାନ ସମୟରେ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ତେଣୁ ମୁଣ୍ଡଳ ଗ୍ରାମର ଏହି ୱାର୍ଡ ନଂ ୮ର ଅଧିବାସୀମାନଙ୍କ ଲାଗି ଶ୍ମଶାନଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।



