Home ଆଞ୍ଚଳିକ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା

ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା

88

ସୁନ୍ଦରଗଡ଼, ୫/୦୭(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲ୍ଲାର ୮ଟି ବ୍ଲକରେ ଉନ୍ନତମାନର ମହୁ ଉତ୍ପାଦନ ସହିତ କିପରି ଏହାର ବଜାର ସଂଯୋଗ କରାଯାଇପାରିବ ସେନେଇ ଜିଲ୍ଲାର ଅଧିକାରୀମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ବେଙ୍ଗଳୁରୁରୁ ଆସିଥିବା ମହୁ ଚାଷ ବିଶେଷଜ୍ଞ ଗୁରୁ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ ମହୁ ଚାଷ ପରିଚାଳନା ସମ୍ପର୍କରେ ବୁଝାଇଥିଲେ।

ଏଥିରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ରାଉରକେଲା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ସୁନ୍ଦରଗଡ଼ର ମହାପ୍ରବନ୍ଧକ, ଓଡ଼ିଶା ଜୀବିକା ମିଶନର ବିଭିନ୍ନ ବ୍ଲକର ପ୍ରୋଗ୍ରାମ ମ୍ୟାନେଜରଙ୍କ ସହିତ ସ୍ଥାନୀୟ ତାଲିମଦାତାମାନେ ଯୋଗ ଦେଇଥିଲେ। ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ଏବଂ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ସାମୁଏଲ ଟପ୍ପୋ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

‘‘ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଜଙ୍ଗଲ ଅଂଚଳ ରହିଛି। ଏହାର ସଦୁପଯୋଗ କରି ଲୋକଙ୍କୁ ଜୀବିକା ଦେବା ଲାଗି ମହୁ ଚାଷକୁ ଗୁରୁତ୍ୱ ଦିଆଯାଉଛି। ମହୁ ଉତ୍ପାଦନ ଆରମ୍ଭ ହେବା ପରେ ଓରମାସ୍ ଜରିଆରେ ବିପଣନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଥମ ଥର ପାଇଁ ଜିଲ୍ଲାରେ କରାଯାଉଥିବା ଏହି କାର୍ଯ୍ୟକ୍ରମରୁ ହିତାଧିକାରୀମାନେ ବିଶେଷ ଲାଭବାନ ହେବେ ବୋଲି ଆମେ ଆଶା କରୁଛୁ। ତାଙ୍କୁ ଦେଖି ପରବର୍ତ୍ତୀ ସମୟରେ ଅଧିକ ଲୋକ ମହୁ ଚାଷ ପ୍ରତି ଆକର୍ଷିତ ହେବେ’’, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

ଜିଲ୍ଲା ପ୍ରଶାସନର ଉଦ୍ୟମକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ରାଜଗାଙ୍ଗପୁର, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, କୋଇଡ଼ା, କୁଆଁରମୁଣ୍ଡା ଓ ଲହୁଣୀପଡ଼ା ୮ଟି ବ୍ଲକରେ ମହୁ ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ତାଲିମ୍ ଦିଆଯାଉଛି। ଆଗାମୀ ଦୁଇ ସପ୍ତାହ ଭିତରେ ହିତାଧିତ୍କାରୀମାନଙ୍କୁ ମହୁ ବାକ୍ସ ଓ ବି କଲୋନି ଯୋଗାଇ ଦିଆଯିବ। ଜିଲ୍ଲାରେ ମହୁମାଛି ପାଳନ ପାଇଁ ୨୬୫୦ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଏମଏସଏମଇ ବିଭାଗ ସହ ଅନ୍ୟ ସରକାରୀ ଅଂଶୀଦାରମାନେ ଯୋଡ଼ି ହୋଇଛନ୍ତି। ଜିଲ୍ଲା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଛି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ତାଲିମ୍ ଓ ବୈଷୟିକ ସହାୟତା ଦିଆଯାଉଛି। ସେହିପରି ଓଡ଼ିଶା ଜୀବିକା ମିଶନ ଚାଷୀ ଚିହ୍ନଟ ଓ ବଜାର ସଂଯୋଗ ଦିଗରେ କାମ କରୁଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥତ୍କ ସହାୟତା ଯୋଗାଇ ଦେଉଛି।

ରିପୋର୍ଟ, ବିଶ୍ବରଂଜନ ହୋତା