
ନବରଙ୍ଗପୁର,୦୫/୦୭/୨୧ (ଜିଲ୍ଲା ଖବର) : ଆସିପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ମହିଳା । ନବରଙ୍ଗପୁର ଚନ୍ଦାହାଣ୍ଡି ଗୌରଝରିଆ ଗାଁରୁ ଆସିଛି ଏଭଳି ଦୃଶ୍ୟ । ଗାଁର ନମତି ମାଝୀ ନାମକ ଜଣେ ମହିଳାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଗାଧୋଇ ସାରି ଲୁଗା ଶୁଖାଉଥିବା ବେଳେ ପାଖରେ ଥିବା ବିଦ୍ୟୁତ ତାରରେ ଓଦା ଲୁଗା ଲାଗିଯାଇଥିଲା । ଫଳରେ ଗୁରୁତର ହୋଇ ପଡ଼ିଥିଲେ ନମତି ।
ଡାକ୍ତରଖାନା ନେବାକୁ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସଟି ବୈଦପଡାରୁ ଦୁଇ କିଲୋମିଟର ରାସ୍ତା ଯିବା ପରେ ଆଗକୁ ଆସିପାରିଲାନି ଆମ୍ବୁଲାନ୍ସ । କାଦୁଅ ଓ ଖାଲ ରାସ୍ତାର ସମସ୍ୟା ଭିତରେ ମହିଳାଙ୍କୁ ଖଟିଆରେ ନିଆଯାଇଥିଲା । ଶେଷରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପହଁଚିଥିଲେ ମହିଳା । ପୂର୍ବରୁ ମଧ୍ୟ ଏହି ଗାଁର ଜଣେ ମହିଳା ଗୁରୁତର ଅବସ୍ଥାରେ ପ୍ରସବ ପାଇଁ ଖଟିଆରେ ବୁହାହୋଇ ନଦୀପାର ହୋଇଥିଲେ । ପୁଣି ଏଭଳି ଖଟିଆରେ ରୋଗୀ ବୁହାହେବା ଘଟଣା ରାଜ୍ୟରେ ରାସ୍ତାର ଅସଲ ଚିତ୍ର ସାମ୍ନାକୁ ଆଣିଛି ।



