‘18 ବର୍ଷ ହେଲାଣି ଡାହାଣ ଆଖିକୁ କିଛି ଦିଶୁ ନଥିଲା, ଏବେ କିଛି କିଛି ଦିଶୁଛି’

7

ମାଲକାନଗିରି,୦୪/୦୭/୨୧ (ଜିଲ୍ଲା ଖବର) : ମହାମାରୀ ମହାଲଢ଼େଇର ପ୍ରମୁଖ ଅସ୍ତ୍ର ହେଉଛି କରୋନା ଟିକା । ଟିକା ନେବା ପରେ ପ୍ରତ୍ୟେକ ଦିନ କିଛି ଚମତ୍କାର ଘଟଣା ସାମାନକୁ ଆସୁଛି । ପୂର୍ବରୁ ଟିକା ନେଇ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଥିବା ନେଇ ଲୋକେ ଦାବି କରୁଥିବା ବେଳେ ଏବେ ଜଣେ ବ୍ୟକ୍ତି ଟିକା ନେବା ପରେ ଦୃଷ୍ଟି ଶକ୍ତି ଫେରି ପାଇଥିବା ନେଇ ଦାବି କରିଛନ୍ତି ।  ଏଭଳି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ ।

ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାର ହୃଷିକେଶ ସେଠୀ । ତାଙ୍କ କହିବାନୁଯାୟୀ ଦୀର୍ଘ 18 ବର୍ଷ ହେବ ତାଙ୍କ ଡାହାଣ ଆଖିକୁ କିଛି ଦିଶୁ ନଥିଲା । ସେ ଆଗରୁ ବାମ ଆଖି ଅପରେସନ କରି କିଛି ଦେଖି ପାରୁଥିଲେ । କିନ୍ତୁ ଅର୍ଥ ଅଭାବରୁ ଡାହାଣ ଆଖି ର ଚିକିତ୍ସା କରିପାରୁନଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଦେଖାଇ ସୁଫଳ ପାଇନଥିଲେ । ପରେ ସେ ହାଇଦ୍ରାବାଦରେ ମଧ୍ୟ ଚିକିତ୍ସା କରିଥିଲେ । ଏହାପରେ ସେ ଜାଣିବାକୁ ପାଇଲେ ଯେ ଡାହାଣ ଆଖି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ।

 କିନ୍ତୁ ତାଙ୍କ କହିବାନୁସାରେ ସେ ମେ 8 ତାରିଖରେ କୋଭିଡର ପ୍ରଥମ ଡୋଜ୍ ଟିକା ନେବା ପରେ ତାଙ୍କ ଡାହାଣ ଆଖିକୁ କିଛି କିଛି ମାତ୍ରାରେ ଦିଶୁଛି । ସମ୍ପୂର୍ଣ୍ଣ ଭାବରେ ନହେଲେ ବି ସେ କିଛିମାତ୍ରାରେ ଏବେ ଡାହାଣ ଆଖିରେ ଦେଖିପାରୁଛନ୍ତି ।  ତାଙ୍କର କହିବା ଅନୁଆରେ କୋଭିତର ପ୍ରଥମ ଟିକା ନେବା ପର ଠାରୁ ହିଁ ଦୃଷ୍ଟି ଶକ୍ତି ଫେରି ଆସୁଥିବା ଅନୁଭବ କରୁଛନ୍ତି । ଏବେ ସେ ଦୁଇ ଆଖିରେ ପେପର ପଢିବା ଠୁ ଆରମ୍ଭ କରି, ଟିଭି ଦେଖିବା, ନିଜ କାମ ଆଦି କରି ପାରୁଛନ୍ତି ।  ଏଥିପାଇଁ ସେ ବେଶ ଖୁସି ଅନୁଭବ କରିବା ସହ ଲୋକଙ୍କୁ ଟିକା ନେବା ପାଇଁ ଅପିଲ ମଧ୍ୟ କରିଛନ୍ତି ।