Wednesday, November 11, 2026
Home ଆଞ୍ଚଳିକ ରାଣୀ ‘ଶରଧା’ ବାଲିରେ ପୋତିଲେ ନଈ, ରଥ ଗଡିଲା ଘାଇଁ ଘାଇଁ

ରାଣୀ ‘ଶରଧା’ ବାଲିରେ ପୋତିଲେ ନଈ, ରଥ ଗଡିଲା ଘାଇଁ ଘାଇଁ

24

୦୩/୦୭/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିର ଆଉ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁରକ୍ଷା ଆଉ ସୁସଙ୍ଗଠିତ ରଥଯାତ୍ରା ପାଇଁ ରାଜାମାନଙ୍କର ଯେମିତି ଭୂମିକା ରହିଥିଲା ରାଣୀମାନଙ୍କର ମଧ୍ୟ ସେମିତି ଭୂମିକା ରହିଥିଲା। ରାଣୀମାନେ ବି ମହାପ୍ରଭୁଙ୍କ ପରମଭକ୍ତ ଥିବା ଆମ ଇତିହାସ ସୁନା ଅକ୍ଷରରେ ଲେଖିଦେଇ ଯାଇଛି।

କିନ୍ତୁ ଆଲୋଚନା ବେଳେ ରାଣୀମାନଙ୍କ କଥା ବେଶି ଶୁଣିବାକୁ ଆମେ ପାଉନା। ତଥାପି ସେମାନଙ୍କ କୃତି ଆଉ କୃତିତ୍ୱ ଆଜି ଆମକୁ ଉତ୍କଳ ଖଣ୍ଡର ଦାୟାଦ ଭାବେ ତାଙ୍କ ସ୍ମୃତିରେ ମଥାନତ କରିବାକୁ ବାଧ୍ୟ କରୁଛି।

ଆଜି ଜଗନ୍ନାଥ ଜଣା ଅଜଣାରେ ସେମିତି ଜଣେ ପ୍ରାତଃସ୍ମରଣୀୟ ରାଣୀଙ୍କ ବାବଦରେ ଜାଣିବା। ଯାହାଙ୍କ ପାଇଁ ବଡଦାଣ୍ଡର ଗୋଟିଏ ଖଣ୍ଡକୁ ନାମିତ କରାଯାଇଛି।

ଜଗନ୍ନାଥେ, କିଛି ମାଗୁନାହିଁ ତେତୋ।

ଧନ ମାଗୁନାହିଁ ଜନ ମାଗୁନାହିଁ

ମାଗୁଛି ଶରଧା ବାଲିରୁ ହାତେ…

ଭିକାରୀ ବଳଙ୍କ ଏ ଗୀତ ଆପଣ ବି କେବେ ଗୁଣୁଗୁଣେଇ ଥିବେ।

ବାସ୍‌ ଆଜିର ପ୍ରସଙ୍ଗ ଏହି ଶରଧା ବାଲିକୁ ନେଇ। କ’ଣ ଏହି ଶରଧା ବାଲି। କ’ଣ ପାଇଁ ଏ ବାଲିକୁ ଏତେ ପ୍ରାଧାନ୍ୟ ଦେଇଛି ଓଡ଼ିଆ ଜାତି ? କ’ଣ ପାଇଁ ଏହାର ନାଁ ଏମିତି, ଆସନ୍ତୁ ଜାଣିବା।

ଆପଣଙ୍କ ଏଇ ପ୍ରଶ୍ନର ଉତ୍ତର ପାଇଁ ଆମକୁ ଯିବାକୁ ପଡିବ ତ୍ରୟୋଦଶ ଶତାଦ୍ଦୀକୁ। ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ୬ଟି ରଥର ଆବଶ୍ୟକତା ପଡୁଥିଲା। କାରଣ ବଡଦାଣ୍ଡ ଆଉ ଗୁଣ୍ଡିଚା ମନ୍ଦିରକୁ ୨ ଭାଗରେ ବିଭକ୍ତ କରୁଥିଲା ମାଳିନୀ ନଈ।

ଶ୍ରୀମନ୍ଦିରରରୁ ଶ୍ରୀ ବିଗ୍ରହମାନେ ୩ ରଥରେ ମାଳିନୀ ନଦୀ ପର୍ଯ୍ୟନ୍ତ ଆସୁଥିଲେ ଆଉ ଏହିଠାରେ ଚାପରେ ବିଜେ କରି ଆରପଟୁକୁ ଯାଉଥିଲେ। ସେଠାରେ ପୂର୍ବରୁ ସଜ୍ଜିତ ଥିବା ୩ ରଥରେ ବିଜେ କରି ଦିଅଁମାନେ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ।

କିନ୍ତୁ ବିଶାଳ ଦାରୁ ବିଗ୍ରହଙ୍କୁ ଏଭଳି ବାରମ୍ବାର ପହଣ୍ଡି କରାଇବା ଦ୍ବାରା ରଥଯାତ୍ରା ବିଳମ୍ବିତ ହେଉଥିଲା। ନବଦିନ ବା ୯ଦିନ ଯାତ୍ରା ନିର୍ଦ୍ଧାରିତ ଥିବାରୁ ଠାକୁରେ ଗୁଣ୍ଡିଚା ମନ୍ଦିରରେ ବେଶିଦିନ ଅବସ୍ଥାନ କରିପାରୁ ନ ଥିଲେ। ଯିବା ଆସିବାରେ ସମୟ ସରିଯାଉଥିଲା।

ସେତେବେଳେ ଉତ୍କଳରେ ଗଙ୍ଗବଂଶର ବୀର ନରସିଂହଦେବଙ୍କ ଶାସନ। ତାଙ୍କର ପାଟ୍ଟରାଣୀ ହେଉଛନ୍ତି, ଶ୍ରଦ୍ଧାମଣୀ ପାଟ୍ଟମହାଦେଇ।

ମହାରାଣୀ ଥିଲେ ପ୍ରଭୁଙ୍କ ପରମଭକ୍ତ ଏବଂ ଜଣେ ବିଦୁଷୀ ନାରୀ। ଏଥିପାଇଁ ସେ ସମସ୍ୟା ସମ୍ପର୍କରେ ରାଜାଙ୍କୁ କହିଲେ। ଏବଂ ଏହି ସମସ୍ୟାର ସମାଧାନ ପାଇଁ କିଛି ଅର୍ଥ ତାଙ୍କୁ ପ୍ରଦାନ କରିବାକୁ ଅନୁରୋଧ କଲେ। ନରସିଂହ ଦେବ ଶ୍ରଦ୍ଧାରାଣୀଙ୍କୁ କିଛି ଅର୍ଥ ଦେବାପରେ ବାଲି ଆଣି ମାଳିନୀ ନଦୀ ପୋତିବା ପାଇଁ ଉପକ୍ରମ ଆରମ୍ଭ ହେଲା ରାଣୀ ମା’। 

ସମସ୍ତେ ଏହାକୁ ଏକ ଅସମ୍ଭବ କାର୍ଯ୍ୟ ବୋଲି କହୁଥିବା ବେଳେ ଶ୍ରଦ୍ଧାଦେବୀ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ। ବାଲି ପକାଇ ମାଳିନୀ ନଦୀ ପୋତି ହୋଇଯିବା ପରେ ବଡ଼ଦାଣ୍ଡ ଆଉ ଗୁଣ୍ଡିଚା ମନ୍ଦିରକୁ ସଂଯୋଗୀକରଣ ପଥଟି ଗୋଟିଏ ହୋଇଗଲା।

ରାଜା ଏହି ଅଦ୍ଭୁତ ପରିକଳ୍ପନା ସତ୍ୟ ହୋଇଥିବା ଦେଖିବା ପରେ ବଡ଼ ଦାଣ୍ଡର ଗୋଟିଏ ଅଂଶ ବା ଗୁଣ୍ଡିଚାମନ୍ଦିର ପାଖଟିକୁ ଶ୍ରଦ୍ଧାବାଲି ବା ଶରଧାବାଲି ନାମରେ ନାମିତ କଲେ।

ରାଣୀ ଶରଧା ମହାପ୍ରଭୁଙ୍କ ପରମଭକ୍ତ ଥିବାରୁ ଆଜି ପର୍ଯ୍ୟନ୍ତ ତାଙ୍କ ନାମରେ ନାମୀତ ବାଲି ପଥରେ ଶହଶହ ଲୋକ ନିଜ ଛୁଆଙ୍କୁ ଗଡେଇ ଦେଇ ମହାପ୍ରଭୁଙ୍କୁ ସମର୍ପି ଦିଅନ୍ତି।

ଅଦ୍ଭୁତ ତୁମେ ମହାପ୍ରଭୁ, ଅଦ୍ଭୁତ ତୁମ ସଂସ୍କୃତି। ଆମେ ତୁମକୁ ଶବ୍ଦରେ ସୀମିତ କରିବାର ଶକ୍ତି ରଖିନୁ।