
୦୩/୦୭/୨୧ (ଜିଲ୍ଲା ଖବର) : ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଶୁକ୍ରବାର ରାତି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪ ମାସ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତିରଥ ସିଂହ ରାୱତ ।
ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଯେପରି ସାମ୍ବିଧାନିକ ସଙ୍କଟ ସୃଷ୍ଟି ନ ହୁଏ ତାହାକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା ସେ କହିଛନ୍ତି ।
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୧ ବର୍ଷରୁ କମ ସମୟ ରହିଛି । ତେବେ ମୁଖ୍ୟମନ୍ତ୍ରୀ ଭାବେ ରହିବା ପାଇଁ ତାଙ୍କୁ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହେବାର ଥିଲା । ତେବେ କରୋନା ସଙ୍କଟ ପାଇଁ ଉପନିର୍ବାଚନ ହେବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ନ ହେବା ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ତୀରଥ ସିଂହ ରାୱତ ।
ଚଳିତ ବର୍ଷ ମାର୍ଚ ୧୦ରେ ତ୍ରିବେନ୍ଦ୍ର ସିଂ ରାୱତଙ୍କଠାରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ତୀରଥ ସିଂହ ରାୱତ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ୨୦୨୪ ଯାଏ ସାଂସଦ ଭାବେ ସେ କାର୍ଯ୍ୟ କରିବେ । ୨୦୧୯ ଲୋକସଭା ନିର୍ବାଚନରେ ସେ ପାଉରି ଘରୱାଲରୁ ନିର୍ବାଚିତ ହୋଇଥିଲେ ।


