
୦୨/୦୭/୨୧ (ଜିଲ୍ଲା ଖବର) : ଡାକ୍ତର ଦିବସରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଡାକ୍ତରଙ୍କ ଯେତେ ପ୍ରଶଂସା କଲେ ବି କମ୍ ହେବ । କରୋନା ସମୟରେ ଡାକ୍ତରମାନେ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ନିଜ ଜୀବନକୁ ମଧ୍ୟ ବଳିଦାନ ଦେଇଛନ୍ତି । ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍ ଆବଣ୍ଟନ ଦ୍ୱିଗୁଣିତ ହୋଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ 50 ହଜାର କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରାଯାଇଛି ।
ପିଲାମାନଙ୍କ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ 22 ହଜାର କୋଟିରୁ ଅଧିକ ଟଙ୍କା ମଧ୍ୟ ବଣ୍ଟନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଡାକ୍ତରମାନେ ଟିକା ନେବା ଦ୍ବାରା ଟିକା ପ୍ରତି ସମସ୍ତଙ୍କ ଭରସା ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, 7 ବର୍ଷରେ 15ଟି ନୂଆ AIIMS କାମ ଆରମ୍ଭ ହୋଇଛି । ମେଡିକାଲ କଲେଜ ସଂଖ୍ୟା ମଧ୍ୟ ଦେଢ ଗୁଣା ବୃଦ୍ଧି ପାଇଛି । ଫଳରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ଅଧିକରୁ ଅଧିକ ଯୁବକ ଡାକ୍ତର ହେବାର ସୁଯୋଗ ପାଇବେ ।
ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଏମ୍ଆଇଏର ତଥ୍ୟ ଅନୁସାରେ ଦେଶରେ କରୋନା ସଂକ୍ରମଣରେ 15 ଶହରୁ ଅଧିକ ଡାକ୍ତର ପ୍ରାଣ ହରାଇଛନ୍ତି । ପ୍ରଥମ ଓ୍ବେଭ୍ରେ 748 ଜଣ ଡାକ୍ତରଙ୍କ ଜୀବନ ଯାଇଥିଲା । ଦ୍ବିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା 776 ଡାକ୍ତରଙ୍କ ମୃତ୍ୟୁ ହୋଇ ସାରିଲାଣି । କେବଳ ଓଡ଼ିଶାରେ 34 ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ।
କୋଭିଡ-19 ମହାମାରୀ ବିରୋଧରେ ଲଢେଇରେ ଡାକ୍ତରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଡାକ୍ତରମାନେ ନିଜ କଥା ଚିନ୍ତା ନକରି ଦେଶ ସେବାରେ ନିୟୋଜିତ ହୋଇଛନ୍ତି । ମହାମାରୀ ସମୟରେ ଡାକ୍ତର ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।


