
ଜଗତସିଂହପୁର, ୦୨/୦୭/୨୧ (ଜିଲ୍ଲା ଖବର) : ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଲା ପୋଲିସ । ସର୍ବ ସମ୍ମୁଖରେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ଅଭିଯୁକ୍ତ ଚୋର ।
ଜଗତସିଂହପୁର ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହି ଗାଁ ମନ୍ଦିରରୁ ଗତକାଲି ରାତିରେ ଠାକୁରଙ୍କ ଅଳଙ୍କାର ସହ ଟଙ୍କା ବାକ୍ସ ଓ ଘଣ୍ଟ ଆଦି ଚୋରି ହୋଇଯାଇଥିଲା । ଏହି ବାବଦରେ ଆଜି ଗ୍ରାମବାସୀମାନେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା ।
ସନ୍ଧାନୀ କୁକୁର ମନ୍ଦିର ନିକଟରୁ ବାସ୍ନା ଶୁଙ୍ଘି ଶୁଙ୍ଘି ବାଲିସାହି ଗାଁର ନନ୍ଦକିଶୋର ବରାଳଙ୍କ ଘରେ ପହଞ୍ଚି ଥିଲା । ଫଳରେ ନନ୍ଦ କିଶୋରକୁ ସନ୍ଦେହ କରି ପୋଲିସ ତାର କବାଟ ବାଡେଇବାରୁ ଅଭିଯୁକ୍ତ ନନ୍ଦକିଶୋର ଘରୁ ଏକ ଖଣ୍ଡା ଧରି ବାହାରିବା ସହ ପୋଲିସ ସହିତ ଯୁକ୍ତିତର୍କ କରିଥିଲା । ପରେ ସେଠାକୁ ଯାଇଥିବା ଜନୈକ ହାବିଲଦାରଙ୍କ ହାତରୁ ଲାଠି ଛଡାଇ ସମ୍ପୃକ୍ତ ହାବିଲଦାରଙ୍କୁ ସେହି ଲାଠିରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲା ।
ପରେ ସେ ସେଠାରୁ ଫେରାର ହୋଇ ଯାଇଥିଲା । ଏହି ଦୃଶ୍ୟ ଦେଖି ଅନ୍ୟ ପୋଲିସ କର୍ମଚାରୀମାନେ ସେଠାରୁ ଭୟରେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା ।


