
ଅନୁଗୁଳ,୦୨/୦୭/୨୧ (ଜିଲ୍ଲା ଖବର) : 60 ଟି ଚାରା ରୋପଣ ପାଇଁ ବଳି ପଡିଲା 10 ଟି ବିରାଟକାୟ ବୃକ୍ଷ । ଅନୁଗୁଳ ଦମକଳ କେନ୍ଦ୍ରରେ ଦେଖିବାକୁ ମିଳିଛି କିଛି ଏପରି ଘଟଣା । ଆଉ ଏଭଳି ବେପାରୁଆ କାମ ଯୋଗୁଁ ବିବାଦକୁ ଆସିଛନ୍ତି ଅନୁଗୁଳ ଦମକଳ କେନ୍ଦ୍ରର ଅଧିକାରୀ ।
ବନ ମହୋତ୍ସବର ଠିକ୍ ଗୋଟିଏ ଦିନ ପୂର୍ବରୁ ଏଭଳି ଗଛ କଟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୁଲାଇ 1 ରୁ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ ମହୋତ୍ସବ ପାଳନ କରାଯାଇଥାଏ । ଅନୁଗୁଳ ଦମକଳ କେନ୍ଦ୍ର ପରିସରରେ ବିଭିନ୍ନ କିସମର ଚାରା ରୋପଣ କରି ବନ ମହୋତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି ହୋଇଥିଲା ।
ତେବେ ଠିକ୍ ବନ ମହୋତ୍ସବ ପୂର୍ବରୁ ଦମକଳ କେନ୍ଦ୍ରରେ ରହିଥିବା କିଛି ଗଛ କଟା ଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଦମକଳ କେନ୍ଦ୍ରର ଅତିରିକ୍ତ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନା କହିଛନ୍ତି, ଏହି ଗଛ ଗୁଡିକ ଚାକୁଣ୍ଡା ପ୍ରଜାତିର । ଗତ ବାତ୍ୟାରେ ଏଥିରୁ ଅନେକ ଗଛ ଉପୁଡି ପଡ଼ି ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ଅନେକ ସମୟରେ ଯାତାୟାତରେ ଅସୁବିଧା ସହ ବିଦ୍ୟୁତ ତାର ସଂଯୋଗ ହେଉଥିଲା । ଅନେକଙ୍କ ଜୀବନ ହାନୀ ହେବାର ଆଶଙ୍କା ବି ଥିଲା । ବନ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ସମ୍ପୃକ୍ତ ଅଞ୍ଚଳକୁ ସଫା କରିବା ଉଦ୍ଦେଶ୍ୟରେ ଗଛ ଗୁଡ଼ିକୁ କଟା ଯାଇଥିବା ସେ କହିଛନ୍ତି ।



