Home ଆଞ୍ଚଳିକ ନୟାଗଡ ପରେ ନବରଙ୍ଗପୁରରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ନୟାଗଡ ପରେ ନବରଙ୍ଗପୁରରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

8

ନବରଙ୍ଗପୁର,୦୨/୦୭/୨୧ (ଜିଲ୍ଲା ଖବର) :  ନବରଙ୍ଗପୁରରେ କୋଭିଡ୍ ଜନିତ ବାସ୍ତବ ମୃତ୍ୟୁ ସଂଖ୍ୟା କେତେ ? ନୟାଗଡ଼ ପରେ ନବରଙ୍ଗପୁର ଜିଲ୍ଲାରୁ ଆସିଲା ପ୍ରଶ୍ନ । ରାଜ୍ୟ ସରକାରଙ୍କ କୋଭିଡ୍ ଡାସ‌ବୋର୍ଡ ରିପୋର୍ଟ ଏବଂ ବିଶ୍ୱ ପରିବେଶ ଦିବସରେ ମୃତକଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ରିପୋର୍ଟରେ ରହୁନି ତାଳମେଳ ।

ପ୍ରଶାସନ କୋଭିଡ୍ ମୃତକଙ୍କ ଉଦ୍ଦେଶ୍ୟରେ ଯେତିକି ଗଛ ଲଗାଇଛି ତାହା ଦ୍ୱନ୍ଦ୍ୱକୁ ବଢ଼ାଇ ଦେଉଛି । ସରକାରୀ ରେକର୍ଡ କହୁଛି, ଜୁଲାଇ 1 ତାରିଖ ସୁଦ୍ଧା ମୃତ୍ୟୁସଂଖ୍ୟା ମାତ୍ର 44 । କିନ୍ତୁ ବାସ୍ତବରେ ଏହି ସଂଖ୍ୟା ଅଧିକ ଥିବା ଜଣାପଡିଛି । ଗତ 14 ମାସ ମଧ୍ୟରେ ପ୍ରଶାସନ ପକ୍ଷରୁ ପୌରପାଳିକା ଦ୍ବାରା ମୋଟ 93 ଜଣଙ୍କ ଶେଷକୃତ୍ୟ କରାଯାଇଛି । ସେଥିରୁ କେବଳ ନବରଙ୍ଗପୁର ସହରରେ 86 ଜଣଙ୍କ ଶେଷକୃତ୍ୟ ହୋଇଛି ।

ଉମରକୋଟରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନବରଙ୍ଗପୁର ସହର ଶ୍ମଶାନରେ ଗତବର୍ଷ 22 ଜଣଙ୍କ ସଂସ୍କାର କରାଯାଇଥିବା ବେଳେ ଚଳିତ ବର୍ଷ 49 ଜଣଙ୍କ ଶବଦାହ କରାଯାଇସାରିଛି । ସେହିପରି 15 ଜଣଙ୍କ ଶବ ପୋତା ଯାଇଥିବା ଜଣାପଡ଼ିଛି । ସେହିପରି ଉମରକୋଟରେ ଗତବର୍ଷ ଏବଂ ଚଳିତବର୍ଷ ମୋଟ 7 ଜଣଙ୍କ ସଂସ୍କାର କରାଯାଇଛି ।

ସେପଟେ ପ୍ରଶାସନ ପକ୍ଷରୁ ମେ ମାସ 5 ତାରିଖ ଦିନ ବିଶ୍ବ ପରିବେଶ ଦିବସ ପାଳନ ହୋଇଥିଲା । ଯେଉଁଥିରେ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଥିଲା । ଜିଲ୍ଲାପାଳ ଅଜିତ କୁମାର ମିଶ୍ର , ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଓ ଡିଏଫଓ ମଗର ଧନାଜି ରାଓସୋ ମୋଟ 114 ଟି ଆମ୍ବ ଚାରା ଲଗାଇଥିଲେ ।  ପ୍ରତି କୋଭିଡ୍ ମୃତକଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ଚାରା ଲାଗିଥିବା ପ୍ରଶାସନ ଘୋଷଣା କରିଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ ।