
୦୨/୦୭/୨୧ (ଜିଲ୍ଲା ଖବର) : ଜମ୍ମୁ ଅନ୍ତର୍ଜାତୀୟ ସୀମା ଅର୍ନିଆ ସେକ୍ଟର ଅଞ୍ଚଳରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ସକାଳ 4 ଟା 25 ମିନିଟ୍ ରେ ଡ୍ରୋନ ଦେଖାଯିବା ପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଗୁଳି ଚାଳନା କରିଥିଲେ । ଫାୟରିଂ ହେବାର କ୍ଷଣିକେ ମାତ୍ରେ ହିଁ ଡ୍ରୋନ ସେଠାରୁ ଗାଏବେ ହୋଇଯାଇଥିଲା । ଗତ 5 ରୁ 6 ଦିନ ମଧ୍ୟରେ ଡ୍ରୋନ ଦେଖାଯିବାର ପ୍ରାୟ 9 ଟି ଘଟଣା ସାମନାକୁ ଆସିଲାଣି ।
ରବିବାରଠୁ ଏହି କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ଦ୍ୱାରା ବିସ୍ଫୋରଣ ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି । ଆଜି ସକାଳୁ ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ଦେଖିବାକୁ ମିଳିଥିଲା । ଡ୍ରୋନ ସୀମା ପାର କରିନଥିଲା । ବରଂ ଏହା ପାକିସ୍ତାନ ଅଞ୍ଚଳରେ ହିଁ ରହିଥିଲା । ବିଏସଏଫ ଯବାନ କୌଣସି ଡେରି ନକରି ତୁରନ୍ତ ଫାୟରିଂ କରିଥିଲେ ।
ଲଗାତାର ଏହି ଘଟଣା ଘଟୁଥିବାବେଳେ ଡିଆରଡିଓ ସଜାଗ ହୋଇ ଉଠିଛି । ଅନ୍ୟପଟେ ଆଣ୍ଟିଡ୍ରୋନ ସିଷ୍ଟମକୁ ନେଇ ମଧ୍ୟ କାମ ଚାଲିଛି । ଡିଆରଡିଓ କହିବାନୁଯାୟୀ, ଏହି ସିଷ୍ଟମ 3 କିମି ପର୍ଯ୍ୟନ୍ତ ଆସୁଥିବା ଡ୍ରୋନକୁ ଠାବ କରିବା ସହ ଏହାକୁ ଅକାମୀ କରିଦେଇଥାଏ । ଏହାସହ ଏହି ସିଷ୍ଟମ 1 ରୁ 2.5 କିମି ପର୍ଯ୍ୟନ୍ତ ଆସୁଥିବା ଡ୍ରୋନକୁ ଲେଜର ବିମ୍ ଜରିଆରେ ଲକ୍ଷ୍ୟ ରଖି ଏହାକୁ ତଳକୁ ଟାଣି ଦେଇଥାଏ । ତେବେ ଖୁବଶୀଘ୍ର ଏହା ସେନାକୁ ମିଳିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।



