
ସୁନ୍ଦରଗଡ଼, ୧/୦୭(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ପୁଣିଥରେ ଆରମ୍ଭ ହୋଇଛି। ଗୁରୁବାରଠାରୁ ଏହି କାର୍ଯ୍ୟକ୍ରମ ଅନୁବନ୍ଧିତ ୭ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୪୫ଟି ଘରୋଇ କ୍ଲିନିକରେ ଚାଲିଛି। ଗର୍ଭବତୀ ମା’ମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ମାଗଣାରେ ଡାକ୍ତର ପରାମର୍ଶ କରିବା ସହ ଅଲଟ୍ରାସାଉଣ୍ଡ୍ ଓ ଅନ୍ୟାନ୍ୟ ପରୀକ୍ଷା କରିଛନ୍ତି। ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି।
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୨୦ ଅକ୍ଟୋବର ୧୧ ତାରିଖରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ସାରା ଜିଲ୍ଲାରେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖରୁ କାର୍ଯ୍ୟକାରୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି।
୨୦୨୧ ଏପ୍ରିଲ ୧୬ ତାରିଖ ସୁଦ୍ଧା ୧୬ ହଜାର ୨୧୯ ଜଣ ଗର୍ଭବତୀ ମା’ ଏହି କାର୍ଯ୍ୟକ୍ରମ ଅଧୀନରେ ସେବା ପାଇଛନ୍ତି। ସେହିପରି ୨୫୦ରୁ ଅଧିକ ଜଟିଳ କେସ୍ ଚିହ୍ନଟ କରାଯାଇ ଗର୍ଭବତୀ ମା’ମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।
ଗର୍ଭାବସ୍ଥାରେ ମା’ ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ଲାଗି ଅଲଟ୍ରାସାଉଣ୍ଡ ପରୀକ୍ଷା ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ, ଜିଲ୍ଲାରେ ମାତୃ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ପ୍ରଭାବୀ ରୂପ ନେଇଛି। ଏହି କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗର୍ଭବତୀ ମହିଳାଙ୍କୁ ଘରୁ ସାଙ୍ଗରେ ନେଇ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇବା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ପ୍ରଶାସନ ପକ୍ଷରୁ ଗର୍ଭବତୀ ମା’ମାନଙ୍କର ଯାତାୟତ ଓ ଖାଇବା ପିଇବା ସୁବିଧା ସହ ଦିନକ ଲାଗି ପାରିତୋଷିକ ଦିଆଯାଉଛି।
ରିପୋର୍ଟ,ବିଶ୍ବରଂଜନ ହୋତା





