Monday, November 16, 2026
Home ଆଞ୍ଚଳିକ ପଲ୍ଲୀ କବିଙ୍କୁ ଶ୍ରଦ୍ଧାଞ୍ଜଳି: ପଲ୍ଲୀ ଜୀବନର ନିଖୁଣ ଚିତ୍ରକୁ ଜୀବନ୍ତ କରି ଦେଉଥିଲା ତାଙ୍କ ବର୍ଣ୍ଣନା

ପଲ୍ଲୀ କବିଙ୍କୁ ଶ୍ରଦ୍ଧାଞ୍ଜଳି: ପଲ୍ଲୀ ଜୀବନର ନିଖୁଣ ଚିତ୍ରକୁ ଜୀବନ୍ତ କରି ଦେଉଥିଲା ତାଙ୍କ ବର୍ଣ୍ଣନା

55

ଭୁବନେଶ୍ଵର,୦୧/୦୭/୨୧ (ଜିଲ୍ଲା ଖବର) : ପଲ୍ଲୀ କବି ନନ୍ଦକିଶୋର ବଳ । ଏକାଧାରରେ କବି, ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଔପନ୍ୟାସିକ, ଆଦର୍ଶ ଶିକ୍ଷକ ଓ ସମାଜ ସଂସ୍କାରକ । ସେ ନିଜ ରଚନାରେ ପଲ୍ଲୀ ଜୀବନର ନିଖୁଣ ଚିତ୍ରକୁ ଏଭଳି ଭାଷାରେ ବର୍ଣ୍ଣନା କରିଥିଲେ ଯାହା ପାଠକ ମନରେ ପଲ୍ଲୀର ଛବିକୁ ଜୀବନ୍ତ କରିଦେଉଥିଲା । ଓଡ଼ିଶାର ଗାଁ ଗଣ୍ଡାର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ କବିତା ପର୍ଯ୍ୟବେଷିତ । ସେଥିପାଇଁ ତାଙ୍କୁ ମିଳିଛି ପଲ୍ଲୀକବିର ଆଖ୍ୟା ।

 କେବଳ ସାରସ୍ବତ ସାଧନା ନୁହେଁ ସମାଜରେ କୁସଂସ୍କାର ଦୂର ପାଇଁ ତାଙ୍କର ଉଦ୍ୟମ ମଧ୍ୟ ଥିଲା ବେଶ୍ ଉଲ୍ଲେଖନୀୟ ।  22 ଡିସେମ୍ବର 1875ରେ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ କୁସୁପୁର ଗାଁରେ ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ଜନ୍ମ। ତାଙ୍କ ପିଲାଦିନର ନାଁ ଥିଲା ରସାନନ୍ଦ ଜେନା।  ତେବେ ପିଉସୀଙ୍କ ଘରକୁ ପୁଅ ହୋଇଯିବା ପରେ ସେ ପରିଚିତ ହୋଇଥିଲେ ନନ୍ଦକିଶୋର ବଳ ନାଁରେ । ଗାଁ ସ୍କୁଲରୁ ପ୍ରାମ୍ଭିକ ଶିକ୍ଷା ପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ହାଇସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ ପଲ୍ଲୀ କବି। ଏହାପରେ ଭକ୍ତ କବି ମଧୂସୁଦନ ରାଓଙ୍କ ଦ୍ବାରା ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରୁ ଆରମ୍ଭ ହୋଇଥିଲା ତାଙ୍କର ଚାକିରି ଜୀବନ । ଏହାପରେ ସେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତେବେ ବାରମ୍ବାର ଅସୁସ୍ଥତା କାରଣରୁ ଚାକିରିରୁ ଅବସର ନେଇ ଗାଁକୁ ଫେରିଯାଇଥିଲେ ନନ୍ଦକିଶୋର।

1924ରେ ଇଂରେଜ ସରକାରଙ୍କଠାରୁ ତାଙ୍କୁ ରାୟ ବାହାଦୂର ଉପାଧି ମିଳିଥିଲା । ପଲ୍ଲୀ କବିଙ୍କ ଲେଖନୀ ମୁନରୁ ସୃଷ୍ଟି ହୋଇଛି ଅନେକ କାବ୍ୟ, କବିତା, ଶିଶୁ ସାହିତ୍ୟ ଓ ଉପନ୍ୟାସ । ଯେଉଁଗୁଡ଼ିକ ଆଜିବି ଓଡ଼ିଶାର ଜନମାନସରେ ବେଶ୍ ଆଦୃତ। ତାଙ୍କର ଦ୍ବାରା ରଚିତ ବହୁ କବିତା ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନୀତ ହୋଇଛି । ପଲ୍ଲୀ କବିଙ୍କର ସୃଷ୍ଟି ଭିତରେ  ନିର୍ଝରିଣୀ, ବସନ୍ତ କୋକିଳ, ନାନାବାୟା ଗୀତ, ପ୍ରଭାତ ସଂଗୀତ, ବିରୂପା ପଲ୍ଲୀଚିତ୍ର, ନିର୍ମାଲ୍ୟ, ଓ ଜନ୍ମଭୂମି ଆଦି ଗୀତି କବିତା ଖୁବ ଲୋକପ୍ରିୟ। ସେହପରି ତାଙ୍କର ଦ୍ବାରା ରଚିତ କାବ୍ୟ ଭିତରେ ସୀତା ବନବାସ, କୃଷ୍ଣକୁମାରୀ, ଶର୍ମିଷ୍ଠା, ତରଙ୍ଗିଣୀ, ଚାରୁଚିତ୍ର ଆଦି ବହୁ ପାଠକୀୟ ଆଦୃତି ଲାଭ କରିପାରିଛି । କେବଳ ପଲ୍ଲୀ ଜୀବନକୁ ନେଇ ତାଙ୍କର ସୃଷ୍ଟି ନଥିଲା । ଯୌତୁକ ପରି ସାମାଜିକ ବ୍ୟାଧି ବିରୋଧରେ ସେ କନକଲତା ନାମକ ଉପନ୍ୟାସ ରଚନା କରିଥିଲେ । ସେ ସମୟର ସାମାଜିକ ବ୍ୟବସ୍ଥା, କୁସଂସ୍କାର ଓ ନାରୀ ପ୍ରତି ଥିବା ବିଦ୍ବେଶ ଭାବକୁ ସେ ଅନୁଭବ କରିଥିଲେ।  ସ୍ବଭାବ ସୁଲଭ ଢଙ୍ଗରେ ନିଜ ରଚନାରେ ସମାଜ ସଂସ୍କାର ପାଇଁ ସେ ବହୁ ଉଦ୍ୟମ କରିଥିଲେ ।

 ଉତ୍କଳ ମାତାର ଏହି ସୁଯୋଗ୍ୟ ସନ୍ତାନ 1 ଜୁଲାଇ 1928 ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ପଲ୍ଲୀ କବି ନାହାନ୍ତି ସତ କିନ୍ତୁ ତାଙ୍କର କାଳଜୟୀ ରଚନା ସବୁଦିନ ପାଇଁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିପାରିଛି । ପଲ୍ଲୀକବିଙ୍କର ପୂଣ୍ୟତିଥୀରେ ଅର୍ଗସ ନ୍ୟୁଜର ବିନମ୍ର ଶ୍ରଦ୍ଧାଞ୍ଜଳି ।