
ଜଟଣୀ,୩୦/୬(ଜିଲ୍ଲା ଖବର) : ଜଟଣୀର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ଅଧୀନରେ ଏକ ପଦକ୍ଷେପ ଭାବରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଅଧୀନରେ ଥିବା ଇସ୍ପାତ ଗ୍ରାହକଙ୍କ ସହ ମଣ୍ଡଳରେଳ ପ୍ରବନ୍ଧକ, ଶ୍ରୀ ଶଶି କାନ୍ତ ସିଂହଙ୍କ ନେତୃତ୍ୱରେ ଏକ ଭର୍ଚୁଆଲ୍ ବୈଠକ ବୁଧବାର ଆୟୋଜିତ ହୋଇଥିଲା। ପୂର୍ବ ତଟ ରେଳବାଇର ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳବିଭାଗ ଏବଂ ଶିଳ୍ପ, ବାଣିଜ୍ୟ ପ୍ରତିନିଧି ଏବଂ ମଣ୍ଡଳ ସ୍ତରରେ ରେଳ ମାଲ ପରିବହନ ଗ୍ରାହକଙ୍କ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗକୁ ସୁଗମ କରିବା ପାଇଁ ଏକ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ପ୍ରତିଷ୍ଠା କରିଛି ବୋଲି କୁହାଯାଇଛି । ଟ୍ରାଫିକ୍ ର ନୂତନ ସ୍କିମ୍ ଆକୃଷ୍ଟ କରି ରେଳବାଇ ଦ୍ୱାରା ପରିବହନ ହେଉଥିବା ମାଲ ପରିବହନ ପରିମାଣ ବୃଦ୍ଧି ଦିଗରେ କାର୍ୟ୍ୟ କରିବା ଏବଂ ଗ୍ରାହକଙ୍କ ଠାରୁ ମାଲ ପରିବହନ ପାଇଁ ପ୍ରସ୍ତାବଗୁଡ଼ିକର ଶୀଘ୍ର ଅନୁମୋଦନରେ ସାହାଯ୍ୟ କରିବାକୁ ଏହି ବୈଠକରେ ଜିନ୍ଦଲଷ୍ଟିଲ ଏବଂ ପାୱାର ଲିମିଟେଡ, ଟାଟା ଷ୍ଟିଲ, ବିଏସଏଲ ଲିମିଟେଡ ଏବଂ ଭିସା ଷ୍ଟିଲ ଲିମିଟେଡର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ ଗ୍ରାହକଙ୍କୁ ବିଭିନ୍ନ ଟ୍ରାଫିକ ଯୋଜନା ସହିତ ବିଡିୟୃ ଅଧୀନରେ କଞ୍ଚାମାଲ, ପ୍ରସ୍ତୁତ ଉତ୍ପାଦ ଏବଂ ଇସ୍ପାତ ଉତ୍ପାଦିତ ସାମଗ୍ରୀ ପରିବହନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଇବାର ଯୋଜନା ବିଷୟରେ ଅବଗତ କରାଯାଇଥିଲା । ରେଳ ମାଧ୍ୟମରେ ଟ୍ରାଫିକ୍ ପରିବହନର ନୂତନ ଯୋଜନାର ସୁଯୋଗ ନେବାକୁ ଶ୍ରୀ ସିଂହ ସମସ୍ତ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ନିଜ ଗ୍ରାହକଙ୍କୁ ମାଲ ପରିବହନରେ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ସର୍ବଦା ପ୍ରସ୍ତୁତ ଅଛି ବୋଲି ଜଣାଇଥିଲେ । ସିନିୟର ଡିଭିଜନାଲ ଅପରେଟିଂ ମ୍ୟାନେଜର ତଥା ଖୋର୍ଦ୍ଧା ରୋଡ଼ ଡିଭିଜନର ବିଡିଏର ସଂଯୋଜକ ଶ୍ରୀ କେ.ଭି.ଏସ୍.କେ. କିଶୋର, ସିନିୟର ଡିଭିଜନାଲ ମେକାନିକାଲ ଇଞ୍ଜିନିୟର, ଶ୍ରୀ ଦୀନେଶ କୁମାର, ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଶ୍ରୀ ଅମିତେଶ ଆନନ୍ଦ ତଥା ଶ୍ରୀ ଏଚ୍ ବି ବିଶ୍ଵାଳ, ସିନିୟର୍ ଡିଭିଜନାଲ ଫାଇନାନ୍ସ ମ୍ୟାନେଜର ଏହି ମିଟିଂ ରେ ଉପସ୍ଥିତ ଥିଲେ । ବିଡିୟୁ ନିୟମିତ ଭାବେ ବାଣିଜ୍ୟ ୟୁନିଟ୍ ସହିତ ଯୋଗାଯୋଗ କରି ନୂତନ ଟ୍ରାଫିକ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା ।
ରିପୋର୍ଟ, ସଞ୍ଜୀବ କୁମାର ।


